ଖୋଳା ହେଲା କୃତ୍ରିମ ପୋଖରୀ : ୪ ପୋଖରୀରେ ୧୮୦ ମୂର୍ତ୍ତି ବିସର୍ଜନ ହେବ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ରାଜଧାନୀରେ ଏ‌ ବର୍ଷ କ‌େରାନା ପାଇଁ ଦୁର୍ଗା ପୂଜା ଫିକା ପଡ଼ିଯାଇଛି। ମଣ୍ଡପରେ ଜାକଜକମରେ ପୂଜାର୍ଚ୍ଚନା ବି ହେଉନି। ଏପରିକି ଭସାଣି ପାଇଁ କୌଣସି ଶୋଭଯାତ୍ରା ହେବନି। ସବୁରି ଉପରେ କଟକଣା ଲାଗିଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନରେ ଯେପରି କୌଣସି ସମସ୍ୟା ନଉପୁଜିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ହୋଇଛି। ରାଜଧାନୀର ତିନିଟି ପ୍ରମୁଖ ନଦୀ କୁଆଖାଇ, ଦୟା, ଭାର୍ଗବୀ କୂଳରେ ୪ଟି କୃତ୍ରିମ ପୁଷ୍କରିଣୀ ଖୋଳାଯାଇଛି। ପ୍ର‌ାୟ ୧୮୦ଟି ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ପୂଜା କମିଟିଗୁଡ଼ିକ ସୋମବାର ରାତିରୁ ଏହି ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିପାରିବେ। ଏଥିପାଇଁ ୪ଟି ପୁଷ୍କରିଣୀ ଖୋଳାଯାଇଥିବାବେଳେ ପ୍ରତି ପୁଷ୍କରିଣୀକୁ ଆପ୍ରୋଚ୍ ରାସ୍ତା ନିର୍ମାଣ ଚାଲିଛି। ମୁଖ୍ୟ ରାସ୍ତାରୁ କୃତ୍ରିମ ପୋଖରୀ ପର୍ଯ୍ୟନ୍ତ ଲାଇଟ୍‌ ଲଗାଯିବ। ଯେପରି କୌଣସି ପ୍ରକାରର ଅଘଟଣ ଘଟିବନି ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏହାସହିତ ଜଳପ୍ରଦୂଷଣ ଯେପରି ନହେବ ତାହା ଉପରେ ଧ୍ୟାନ ଦିଆଯିବ।ବିଏମ୍‌ସିର ଇଞ୍ଜିନିୟରିଂ ଟିମ୍‌ ପକ୍ଷରୁ କୁଆଖାଇ ନଦୀ କୂଳରେ ଦୁଇଟି ପୋଖରୀ ଖୋଳାଯାଇଛି। ୩୭ମିଟର ଲମ୍ବ ୨୬ମିଟର ଓସାର ଏବଂ ୨୫ମିଟର ଲମ୍ବ ଓ ୨୦ ମିଟର ଓସାରର ଦୁଇଟି ପୋଖରୀ ଖୋଳାଯାଇଛି। ଏଠାରେ ୧୦୦ଟି ପ୍ରତିମୂର୍ତ୍ତି ବିସର୍ଜନ ହୋଇପାରିବ।

ସେହିପରି ଟଙ୍କପାଣି ବ୍ରିଜ୍‌ ନିକଟରେ ୨୫ମିଟର ଲମ୍ବ ୧୫ମିଟର ଓସାର‌େର ଏବଂ ଦୟା ବ୍ରିଜ୍‌ ନିକଟରେ ୨୫ମିଟର ଲମ୍ବ ୧୦ମିଟର ଓସାରରେ ପୁଷ୍କରିଣୀ ଖୋଳା ଯାଇଛି। ପ୍ରତ୍ୟେକ ପୁଷ୍କରିଣୀ ୩ମିଟର ଗଭୀରର ହୋଇଛି। ପ୍ରତ୍ୟେକ ପୂଜା କମିଟି ଯଥା ସମ୍ଭବ କମ୍‌ ସଦସ୍ୟଙ୍କୁ ଆଣି ମୂର୍ତ୍ତି ବିସର୍ଜନ କରିବାକୁ କୁହାଯାଇଛି। ମୂର୍ତ୍ତିଗୁଡ଼ିକ ଧାଡ଼ିରେ ଆସି ବିସର୍ଜନ ହେବ। ଯେପରି କୌଣସି ସ୍ଥାନରେ କୌଣସି ପ୍ରକାରର ଭିଡ଼ ହେବନି କି ଶୋଭାଯାତ୍ରା ହେବନି ସେଥିପାଇଁ ବିଏମ୍‌ସି ଓ କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍କ୍ବାଡ୍ ସଜାଗ ରହିବ।

Leave A Reply

Your email address will not be published.