ଭୁବନେଶ୍ୱର ,(ଏସ୍ଏନ୍ୟୁଜ):ଆଜି ଖଣ୍ଡଗିରି ଛକରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳା ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ, ଡୁମୁଡୁମାର ଭାସ୍କର ନାୟକଙ୍କ ପତ୍ନୀ ପ୍ରୀତି ନାୟକ(୩୮)। ପୁଲିସ ସୂଚନା ଅନୁସାରେ, ପ୍ରୀତି ଏକ ବୀମା କମ୍ପାନିରେ ଏଜେଣ୍ଟ୍ ଭାବେ କାମ କରନ୍ତି। ଆଜି ସକାଳେ ସେ ଏକ ସ୍କୁଟି (ଓଡି୩୩-ଭି-୧୪୫୦)ରେ ପଟିଆ ଅଭିମୁଖେ ଯାଉଥିଲେ। ଖଣ୍ଡଗିରି ଛକରେ ପଛରୁ ଆସୁଥିବା ଟ୍ରକ୍(ଓଡ଼ି୦୪-ଏନ୍-୪୨୧୧) ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରକ୍ ଚକାରେ ଲାଗି ଉଭୟ ପ୍ରୀତି ଓ ତାଙ୍କ ସ୍କୁଟି ପ୍ରାୟ ୨୦ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ଟ୍ରକ୍ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ଓ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।