ରାତି ଅଧରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ : ସ୍ୱାମୀ-ସ୍ତ୍ରୀ ଗୁରୁତର

କେନ୍ଦ୍ରାପଡା ,(ଏସ୍‌ଏନ୍ୟୁଜ):କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବରକନ୍ଧା ଗ୍ରାମରେ ରାତି ଅଧରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ । ଘଟଣାସ୍ଥଳରେ ଛାଡି ଚାଲିଗଲେ ବାଇକ୍ । ଆକ୍ରମଣରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ମହାକାଳପଡା ମେଡିକାଲ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ସକାଳୁ ନିର୍ମଳା ସ୍ବାଇଁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ, କମ୍ପାନୀ କାମକୁ ନେଇ ପୂର୍ବ ଶତ୍ରୁତା ରହିଥିଲା । ବରବନ୍ଧା ଓ ଗୋଜାବନ୍ଧ ଗ୍ରାମର ୪ ଜଣ ଯୁବକ ହାତରେ ଖଣ୍ଡା ଧରି ସ୍ବାମୀ ରଙ୍ଗାଧର ସ୍ବାଇଁଙ୍କ ଘରେ ପଶି ଯୁକ୍ତିତର୍କ କରିଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସ୍ତ୍ରୀ ନିର୍ମଳା ସ୍ବାଇଁଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାକୁ ଚେଷ୍ଟା କରିଥିଲେ । ବିରୋଧ କରିବାରୁ ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ତଳେ ପଡିଯାଇଥିଲେ ନିର୍ମଳା । ସ୍ବାମୀ ରଙ୍ଗାଧର ପ୍ରତିବାଦ କରିବାରୁ ତାଙ୍କ ଛାତିକୁ ମଧ୍ୟ ଅକ୍ରମଣ କରିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର ଶୁଣି ଗ୍ରାମବାସୀ ଦୌଡି ଆସିବାରୁ ଘଟଣାସ୍ଥଳରେ ବାଇକ୍ ଛାଡି ଫେରାଇ ହୋଇଯାଇଥିଲେ ଉକ୍ତ ଯୁବକମାନେ । ଏ ନେଇ ପୁଅ ସଞ୍ଜିତ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ବାଇକ୍ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.