ବାଲି ବୋଝେଇ ଗାଡ଼ି ପୋଡ଼ି ଘଟଣାରେ୫ ଜଣ ଅଟକ

ପ୍ରତିବାଦରେ ଥାନା ଘେରାଉ, ପୋଲିସର ଲାଠିଚାର୍ଜ୍‌

ଭୁବନେଶ୍ୱର: (ଏସ୍‌ଏନ୍ୟୁଜ): : ଗଂଜାମ ଜିଲ୍ଲା ହିଞ୍ଜିଳ ଥାନା କୋଳିଦାଶପୁରରେ ଗାଡି ପୋଡି ଘଟଣା ନେଇ ଉତେଜନା ସୃଷ୍ଟି ହୋଇଛି । ଗାଁର ୫ ଜଣଙ୍କୁ ଅଟକ ପ୍ରତିବାଦରେ ହିଞ୍ଜିଳି ଥାନା ଘେରାଉ କରାଯାଇଛି । ନିରାପତା ଦୃଷ୍ଟିକୋଣରୁ ଏବଂ ଅଧିକ ଲୋକ ସମାଗମକୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କାରିଛି ପୋଲିସ । ଘଟଣାସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଶୁକ୍ରବାର ରାତିରେ ଋଷିକୂଲ୍ୟା ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ କିଛି ଦୁର୍ବୃତ ଗାଡ଼ି ଗୁଡ଼ିକୁ ଅଟକାଇବା ସହ ସେମାନଙ୍କୁ ଦାଦାବଟି ମାଗିଥିଲେ । କିନ୍ତୁ ବାଲି ବୋଝେଇ କରୁଥିବା ଲୋକେ ବଟି ଦେବାକୁ ମନା କରିଥିଲେ । ଏଥିପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ଲାଗିଥିଲା । ପରେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା ।

ଏହି ଘଟଣାରେ ଦାଦାବଟି ମାଗୁଥିବା ଗୋଷ୍ଠୀ ବାଲି ଚୋର ଚାଲାଣକାରୀଙ୍କୁ ଆକ୍ରମଣ କରିଥିବା ସହ ଗାଡ଼ି ଗୁଡ଼ିକୁ ପୋଡ଼ି ଦେଇଥିଲେ । ସେଥିରେ ଦୁଇଟି ଟ୍ରାକ୍ଟର, ତିନୋଟି ଟ୍ରକ ଓ ଦୁଇଟି ମୋଟରସାଇକେଲ ସାମିଲ ଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ସ୍ଥାନୀୟ ଏସ୍‌ଡିପିଓ ମଧ୍ୟ ଘଟଣାସ୍ଥଳରେ ପହଂଚିିଥିଲେ । ପ୍ରାଥମିକ ତଦନ୍ତ ପରେ ପୋଲିସ ଉକ୍ତ ଗାଁର ୫ ଜଣ ଯୁବକଙ୍କୁ ଅଟକ ରଖିଥିଲା । ଗାଁର ଏହି ୫ ଜଣଙ୍କୁ ଅଟକ ରଖାଯାଇଥିବା ପ୍ରତିବାଦରେ ରବିବାର ସକାଳୁ ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଅଧିକ ଫୋର୍ସ ଡକାଇଥିଲା । ଘଟଣାସ୍ଥଳରେ ପରିସ୍ଥିତି ଅଧିକ ଗମ୍ଭୀର ହେବାରୁ ପୋଲିିସ ଲାଠିଚାର୍ଜ କରିଥିଲା ।

Leave A Reply

Your email address will not be published.