ସଂପର୍କର ଅତୁଟ ସେତୁ ଗଣପର୍ବ ନୂଆଁଖାଇ

କୃଷିଭିତିିକ ପର୍ବ ନୂଆଁଖାଇ । ପ୍ରେମ, ସୌହାର୍ଦ୍ଧ୍ୟ, ଭ୍ରାତୃତ୍ୱ ଭାବର ବନ୍ଧନ ପର୍ବ ନୂଆଁଖାଇ । ନୂଆଁଖାଇ ସଂପର୍କର ଅତୁଟ ସେତୁ । ସହାବସ୍ଥାନ, ମିଳନ ଓ ବିଶ୍ୱାସର ବାର୍ତା ନେଇ ପ୍ରତିବର୍ଷ ଭାଦ୍ରବମାସ ଶୁଳ୍କପକ୍ଷ ପଂଚମୀ ତିଥରେ ମେଘ ମହ୍ଲାର ରାଗିଣୀ ସାଥେ ପ୍ରତିଟି ହୃଦୟକୁ ଉଚ୍ଚାଟିତ କରି, ପର ଆପଣାର ଉର୍ଦ୍ଧ୍ୱରେ ସଭିଙ୍କୁ ଆପଣାର କରି ନେବାର ବାର୍ତା ପ୍ରଚାର କରିଥାଏ ପଶ୍ଚିମ ଓଡିଶାର ପ୍ରଧାନ ଗଣପର୍ବ
ନୂଆଁଖାଇ । ନୂତନ ଅନ୍ନପୂଜା ବା ଶସ୍ୟପୂଜା ପରମ୍ପରାକୁ ‘ନବାନ୍ନ’ ପର୍ବର ସୃଷ୍ଟି? ଏହା କୌଣସି ଏକ
ନିର୍ଦ୍ଦିଷ୍ଟ ଧର୍ମର ପର୍ବ ନୁହେଁ? ନୂଆକରି ଉତ୍ପାଦିତ ଶସ୍ୟକୁ ସୃଷ୍ଟି କର୍ତାଙ୍କୁ ଅର୍ପଣ କରି ସେହି ପ୍ରସାଦ ପାଇବା ଏହି ପର୍ବର ମୂଳଲକ୍ଷ୍ୟ । କୃତଜ୍ଞତା ଜ୍ଞାପନ ଓ ଆଶୀର୍ବାଦ କାମନାର ପର୍ବ ନୂଆଁଖାଇ । ବଂଚିବାର ନୂତନ ସ୍ପୃହା ଓ ଉଦ୍ଦିପନା ସୃଷ୍ଟି କରି ପଲ୍ଲୀ ଜୀବନକୁ ପୂର୍ଣ୍ଣତା ପଥରେ ଆଗେଇ ନିଏ ନୂଆଁଖାଇ । ମାଟି ଓ ମଣିଷର ସଂପର୍କର ମଧୁର ଛନ୍ଦଟିଏ ନୂଅାଁଖାଇ । ଏହି ପର୍ବ ନିଜ ଜୀବନକୁ ପ୍ରେରଣା ଯୋଗାଇବା ସଙ୍ଗେସଙ୍ଗେ ଉନ୍ନତି ଓ ଅଗ୍ରଗତିର ରାସ୍ତା ଫିଟାଇଥାଏ । ପଲ୍ଲୀର ଶୁଷ୍କ, ଜୀବନରେ ନୂଆଖାଇ ଭରିଦିଏ ଆନନ୍ଦର ଉତାଳ ତରଙ୍ଗ । ଐକ୍ୟ ବଦ୍ଧତାର ସଂକଳ୍ପ ସିଦ୍ଧ ପର୍ବ ରୂପେ ନୂଆଁଖାଇ ସର୍ବସାଧାରଣଙ୍କ ତିହାର ଭାବେ ପ୍ରସିଦ୍ଧ । ଆଜିର ବସ୍ତୁବାଦୀ ମଣିଷଙ୍କ ପାଇଁ ନବାନ୍ନର ଭାବନା, ଗାଁର ସାହି ସାହି, ପଡା ପଡା ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି, ଏକ ସନାତନୀ ଧର୍ମୀୟ ଚେତନା, ଯାହା ଅସତ୍‌ରୁ ସତକୁ, ଅନ୍ଧକାରରୁ ଆଲୋକକୁ ଏବଂ ମୃତ୍ୟୁଲୋକରୁ ଅମୃତ ଲୋକର ସନ୍ଧାନ ଦେଇଥାଏ । ସେସବୁର ଏକ ଚମତ୍କାର ଉପହାର ନୂଆଁଖାଇ । ଶାକ୍ତ ଚେତନା ଉପରେ ‘ନବାନ୍ନ’ ପ୍ରତିଷ୍ଠିତ । ମାତୃ ଅନୁକମ୍ପାରୁ ମଣିଷ ସକଳ ସୁଖ ସମ୍ପଦ ପ୍ରାପ୍ତ ହୁଏ । ମାତୃଶକ୍ତିକୁ କୃତଜ୍ଞତା ପୂର୍ବକ ବର୍ଷର ପ୍ରଥମ ଫସଲ ପାଇ ନବାନ୍ନ ନୈବେଦ୍ୟ ପ୍ରଥମେ ନିଜ ଗ୍ରାମ, ନିଜ ଅଞ୍ଚଳର ପ୍ରତିଷ୍ଠିତ ଦେବୀଙ୍କୁ ଅର୍ପଣ କରାଯାଇଥାଏ । ‘ନବାନ୍ନ’ର ଦିନକ ପୂର୍ବରୁ ନୂଆଧାନ ସଂଗ୍ରହ, ପାହାନ୍ତରୁ ସ୍ନାନାଦି ପରେ ସମସ୍ତ ଗ୍ୟହକୁ ପରିଷ୍କାର କରି ଗୋଧନ ପୂଜା, ଗୋ ଶିଙ୍ଗରେ ରାଖି ବାନ୍ଧିବା, କଅଁଳ ଘାସ ଦେଇ ଗୋ ସମ୍ପର ଆମ ସମୃଦ୍ଧ ନିମନ୍ତେ ଅବଦାନକୁ ସମ୍ମାନ ଦେବା, କ୍ଷେତକୁ ଯାଇ ବସୁମତୀ ପୂଜା, ନବ ଧାନ୍ୟ , ଚୁଡା, ଚାଉଳର ପ୍ରସାଦ ତିଆରି, ପିଠାପଣା, କ୍ଷୀରି ପ୍ରଭୃତି ତିଆରି କରି ଇଷ୍ଟଦେବୀ ଓ ପୂର୍ବ ପୁରୁଷଙ୍କୁ ଅର୍ପଣ କରିବା ପରେ ଘରେ ଘରେ ସମସ୍ତେ ଏକତ୍ର ବସି ନବାନ୍ନ ଭକ୍ଷଣ କରିବା ପ୍ରଭୃତି କର୍ମରେ ଯେଉଁନିଷ୍ଠା ଓ ଆନ୍ତରିକତା ଦେଖାଯାଇଥାଏ, ବାସ୍ତବରେ ତାହା ଅନବଦ୍ୟ । ଅନ୍ନବ୍ରହ୍ମଙ୍କର ଉପାସନାର ଏକ ବିକଶିତ ରୂପ ନୂଆଁଖାଇ । ଉପନିଷଦରେ କୁହାଯାଇଛି – ‘ଅନ୍ନର ନିନ୍ଦା କରନାହିଁ । ଏହା ନିୟମ ଅଟେ । ଅନ୍ନର ତିରସ୍କାର କରନାହିଁ, ଏହା ମଧ୍ୟ ନିୟମ ଅଟେ । ଅନ୍ନ ହିଁ ବ୍ରହ୍ମ, ଅନ୍ନରୁ ଜୀବଜଗତ ସୃଷ୍ଟି, ଜୀବନ ଏବଂ ଅନ୍ତକାଳରେ ଅନ୍ନରେ ହିଁ ଲୀନ ହୋଇଯାଏ । ଭାଗବତରେ ଭକ୍ତ କବି ଜଗନ୍ନାଥ ଦାସଙ୍କ ଭାଷାରେ ‘ ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି?’ ଲୋକପର୍ବ ନୂଆଁଖାଇ ବା ନବାନ୍ନ ଭକ୍ଷଣ ପାଳନରେ ଆଂଚଳିକ ବିବିଧତା ପରିଲ୍ଲକ୍ଷିତ ହେଉଥିଲେ ହେଁ ମୂଳଲକ୍ଷ୍ୟ ଗୋଟିଏ । ଅନ୍ନବ୍ରହ୍ମର ଉପାସନା ସହ ନୀରୋଗ ନିରାମୟ ଜୀବନ ଧାରଣର କାମନା କରି ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ।
କବି ଗଙ୍ଗାଧର ମେହେରଙ୍କ ଭାଷାରେ-
ଅନ୍ନଘେନି ଜ୍ଞାନ ଯେ ଅନ୍ନ ଘେନି ଧ୍ୟାନ
ଅନ୍ନ ଘେନି ମହତ୍ୱ ଅନ୍ନ ଘେନି ମାନ
ବିଦ୍ୟାବୁଦ୍ଧି ଅନ୍ତରେ ଅନ୍ନରେ ବିଜ୍ଞାନ
ଅନ୍ନ ନାହିଁ ଯହିଁରେ ସେ ଏକା ମରୁସ୍ଥାନ ହେ ।
‘ନୂଆଁଖାଇ’ ପର୍ବ ପୂଜ୍ୟାପୂଜାର ଏକ ଯଥାର୍ଥ ଅନୁଶୀଳନ କ୍ଷେତ୍ର । ପରିବାରର ଜ୍ୟେଷ୍ଠ ବ୍ୟକ୍ତି ଦେବାଦେବୀଙ୍କ ଆଶୀର୍ବାଦ ଭିକ୍ଷା ପରେ ନବାନ୍ନ ବାଂଟିଥାନ୍ତି । ସାନମାନେ ବଡ ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି । କୃଷିଭିତିିକ ସଭ୍ୟତାର ମହାନ ସ୍ମାରକୀ ତଥା ଗ୍ରାମୀଣ ଏକତାର ପ୍ରତୀକ ଏହି ପର୍ବ ବିଶ୍ୱଭ୍ରାତୃତ୍ୱ, ମୈତ୍ରୀ ଓ ସଂହତିର ବାର୍ତା ବହନ କରେ । ପରସ୍ପର ମଧ୍ୟରେ ଥିବା ଭେଦଭାବ, ଦ୍ୱେଷକୁ ଭୁଲି ପର ଆପଣା ଉର୍ଦ୍ଧ୍ୱରେ ସଭିଙ୍କୁ ଆପଣାର କରିବାର ବାର୍ତା ଦେଉଛି ‘ନବାନ୍ନ’ । ପଶ୍ଚିମ ଓଡିଶାର ଏହି ପରମ୍ପରା ଓ ଐତିହ୍ୟ ସଂପନ୍ନ ଜୀବନଧାରା ଏକ ବୃହତର ସାର୍ବଜନୀନ ସଂସ୍କୃତିର ପ୍ରତୀକ । ସମ୍ବଲପୁର ଠାରେ ମାଁ ସମଲେଶ୍ୱରୀ, ସୋନପୁରର ସୁରେଶ୍ୱରୀ, ଭାବାନୀପାଟଣାର ମାଣିକେଶ୍ୱରୀ, ବଲାଙ୍ଗୀରର ପାଟଣେଶ୍ୱରୀ ଏବଂ ବିଭିନ୍ନ ସ୍ଥାନର ଇଷ୍ଟଦେବୀମାନଙ୍କୁ ପ୍ରଥମେ ନବାନ୍ନ ନୈବେଦ୍ୟ ଲାଗି ହୋଇଥାଏ । ଦେବାଳୟକୁ ଯାଇ ଦେବାଦେବୀ ଦର୍ଶନ କରାଯାଏ । ନବାନ୍ନ ଭକ୍ଷଣରେ କେତେକ ସ୍ଥାନରେ ପରିବାରର ସଦସ୍ୟମାନେ ଐକ୍ୟବଦ୍ଧ ଭାବରେ ନୂଆଁଖାଉଥିବା ବେଳେ କେତେକ ସ୍ଥାନରେ ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ଏକଜୁଟ ହୋଇ ଏକତ୍ର ନୂଆ ଖାଆନ୍ତ । ଛୋଟ ଛୋଟ ଗ୍ରାମରେ ଆବାଳ ବୃଦ୍ଧ ବନିତା ଏକତ୍ର ହୋଇ ପ୍ରସାଦ ପାଉଥିବାର ଅନେକ ଦୃଷ୍ଟାନ୍ତ ରହିଛ । ବାସ୍ତବରେ ଆଜିର ସହରୀ ସଭ୍ୟତାରେ ଦିଗହରା ହେଉଥିବା ଉଦଭ୍ରାନ୍ତ ମନୁଷ୍ୟ ନିମନ୍ତେ ଏହା ଏକ ଶିକ୍ଷା ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଶତ୍ରୁମିତ୍ରଙ୍କୁ ସଂଙ୍ଖାଳି ନେବାର ଦର୍ଶନ ଉପରେ ପ୍ରତିଷ୍ଠିତ ‘ନୂଆଁଖାଇ ଭେଟଭାଟ’ ପ୍ରଥା ସାମାଜିକ ତଥା ସାର୍ବଜନୀନ ଭ୍ରତୃତ୍ୱ ଭାବକୁ ଉଦବୁଦ୍ଧ କରିଥାଏ । ବିଶ୍ୱଶାନ୍ତି, ମୈତ୍ରୀ ଓ ସଂହତିର ଅପୂର୍ବ ସ୍ମାରକୀ ‘ନୂଆଁଖାଇ ଜୁହାର ଭେଟ୍‌ଘାଟ’ । ପରସ୍ପର ମଧ୍ୟରେ ଥିବା ସକଳ ପ୍ରକାର ଭେଦଭାବ ଭୁଲି, ଦ୍ୱେଷକୁ ଦୂରେଇ ଦେଇ ପାରିବାରିକ ସମ୍ବଦ୍ଧି ନିର୍ମାଣରେ ଏହା ସହାୟକ ହୁଏ? ପର୍ବ ପାଳନ ଅବସରରେ ସବୁ ବାଦବିବାଦ , ଶତ୍ରୁତା ଭୁଲି ଆତ୍ମୀୟ ମାନଙ୍କୁ ଆଦରି ନିଆଯାଏ । ନିଷ୍କପଟ ମନ ଓ ନିଷ୍ପାପ ହୃଦୟର ଅପୂର୍ବ ଭାବାବେଗ ନେଇ ବିଭିନ୍ନ ସଂପ୍ରଦାୟ, ଅନୁଷ୍ଠାନ ମଧ୍ୟରେ ‘ନୂଆଁଖାଇ ଭେଟ୍‌ଘାଟ’ ଜରିଆରେ ଶୁକଭାମନା ପୋଷଣ କରନ୍ତି ।
ସାଂପ୍ରତିକ ସମୟରେ ସହରୀ ବସ୍ତୁବାଦୀ ଏବଂ ଜଟିଳତାପୂର୍ଣ୍ଣ ଜୀବନ ଅଧ୍ଖକରୁ ଅଧ୍ଖକ ବ୍ୟର୍ଥ, ବିପର୍ଯ୍ୟସ୍ତ, ଅର୍ଥହୀନ ଏବଂ ଲକ୍ଷ୍ୟହନ ହୋଇ ପଡୁଥିବା ବେଳେ ନବାନ୍ନର ସନ୍ଦେଶ ଅଧିକ ପ୍ରଭାବଶାଳୀ ମନେ ହେଉଛି । ଜୀବନରୁ ହିଂସା, ପରଶ୍ରୀକାତରତା, କୁତ୍ସିତ ଇତର ଭାବନା ପରିହାର କରି ଅନ୍ୟକୁ ଭଲପାଇ , ଅନ୍ୟର ଜୀବନକୁ ସମ୍ନାନ ଦେଇ , ଅନ୍ୟ ପାଇଁ ବଂଚିବା ସହ ତ୍ୟାଗ ଭାବାପନ୍ନ ହୋଇ ଏକ ଶୃଙ୍ଖଳିତ, ମଧୁମୟ, ଅମୃତମୟ ତଥା ଆଲୋକମୟ ଜୀବନଯାପନ କରିବା ସହ ଉତ୍ସବମୁଖର ଆନନ୍ଦମୟ ସାତ୍ୱିକ
ଆତ୍ମୋପଲବ୍ଧିର ବାର୍ତା ପ୍ରଚାର କରେ ନୂଆଁଖାଇ ।

Leave A Reply

Your email address will not be published.