ଭାଇବୋହୂକୁ କଟୁରୀରେ ହାଣିଲା ଦେଢଶୂର

ଜମିଜମା ବିବାଦ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଭାଇ ବୋହୂକୁ ହାଣିଲା ଦେଢଶୁର । ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇଛନ୍ତି ମହିଳା । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଭୟମୁଖି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜମିଜମା ବିବାଦରୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ଅଭୟମୁଖି ଗ୍ରାମର ଦୁଇ ଭାଇ ଗୋବିନ୍ଦ ସାହୁ ଏବଂ ନନ୍ଦକିଶୋର ସାହୁଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ପୂର୍ବରୁ ଉଭୟ ଏକାଧିକ ଥର ଥାନାକୁ ଯାଇଥିଲେ । ଭଦ୍ରଲୋକଙ୍କ ଉପସ୍ଥିତିରେ ଅନେକଥର ଗଣ୍ଡଗୋଳର ସମାଧାନ କରାଯାଇଛି । କୌଣସି ଘଟଣାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଗୋବିନ୍ଦ ସାହୁ ଉତକ୍ଷିପ୍ତ ହୋଇ ଘରୁ ଏକ କଟୁରୀ ଆଣି ମାନସୀ ସାହୁଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ମାନସୀଙ୍କର ମୁଣ୍ଡ ଏବଂ ହାତକୁ ହାଣିପକାଇଥିଲା ବାବୁଲା ।ଘଟଣାସ୍ଥଳରେ ମାନସୀ ଗୁରୁତର ହୋଇପଡିଥିଲେ । ତାଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ  ଅଭୟମୁଖୀ ଗ୍ରାମରେ ବାଲିପାଟଣା ପୋଲିସ ପହଁଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.