ନୂଆଦିଲ୍ଲୀ: ଆଜି ପବିତ୍ର ନୂଆଁଖାଇ ପର୍ବ । ଏହି ଅବସରରେ ଦେଶର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତା ଦେଇ ଓଡ଼ିଶାବାସୀଙ୍କ ସମୃଦ୍ଧି କାମନା କରିଛନ୍ତି ।
ପଶ୍ଚିମ ଓଡ଼ିଶା ଏହା ଏକ ଗଣପର୍ବ ରୂପେ ପାଳିତ ହୋଇଥାଏ । ନୂତନ କରି ଅମଳ ହୋଇଥିବା ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କରି ପରିବାର ସହିିତ ଜ୍ଞାତିକୁଟୁମ୍ବ ମାନେ ସମସ୍ତେ ମିଳିମିଶି ଖାଇବାର ପ୍ରଥା ରହିଛି ଏହି ଗଣପର୍ବରେ । ଏହି ପ୍ରଥା ସାରା ଭାରତ ବର୍ଷରେ ଏକ ଅନନ୍ୟ ପର୍ବ ଭାବରେ ଗଣା ହୋଇଥାଏ ।
ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଟ୍ୱିଟରରେ ବିଶେଷ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହ ସମସ୍ତ ଓଡ଼ିଶାବାସୀଙ୍କ ସମୃଦ୍ଧି କାମନା କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ । ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ । ଏହି ପର୍ବ ମନୁଷ୍ୟ ସହିତ ପ୍ରକୃତିର ଅତୁଟ ସମ୍ପର୍କକୁ ପ୍ରତିପାଦିତ କରିଥାଏ । ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ’ ।
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ‘ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତମ ସ୍ୱାସ୍ଥ୍ୟ କାମନା କରୁଛି । ନୂଆଁଖାଇ ଜୁହାର’ ।
ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହିତ ପଶ୍ଚିମ ଓଡ଼ିଶାବାସୀଙ୍କର ସମୃଦ୍ଧି କାମନା କରିଛନ୍ତି । ସେ ଲେଖିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଓଡିଶାବାସୀଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ଶୁଭକାମନା । ନୂଆଖାଇ ନୂଆ ଫସଲର ପର୍ବ ଅଟେ । ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ତଥା ସୁଖସମୃଦ୍ଧି ଆଣିଦେଉ ଏହାହିଁ କାମନା’ ।