ଭର୍ଚୁଆଲ ରାଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଗ୍ରାଉଣ୍ଡକୁ ଯିବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):  ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେନି ନବୀନ । ଭର୍ଚୁଆଲ୍‌ ରାଲି ମାଧ୍ୟମରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବିଜେଡି ସଭାପତି । ସେପଟେ ଗ୍ରାଉଣ୍ଡରେ ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । କେମିତି ରହିଛି ଦୁଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ କସରତର ମାହୋଲ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।

ମଇଦାନରେ ମାତିଲେଣି ନେତା । ଜୋରଦାର ହେଲାଣି ପ୍ରଚାର । ଗ୍ରାଉଣ୍ଡକୁ ଯିବେ ବିଭିନ୍ନ ଦଳର ଷ୍ଟାର୍‌ କ୍ୟାମ୍ପେନର । ହେଲେ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେନି ନବୀନ । ଭର୍ଚୁଆଲ୍‌ ରାଲି ମାଧ୍ୟମରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡି ସଭାପତି ପ୍ରଚାର କରିବେ ବୋଲି ଜଣାପଡ଼ିଛି  । କୋଭିଡ୍‌ କଟକଣାକୁ ନେଇ ଏଥର ଉପନିର୍ବାଚନରେ ସବୁ ଦଳ ପକ୍ଷରୁ ଡିଜିଟାଲ୍‌ ପ୍ରଚାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଭୋଟରଙ୍କ ପାଖରେ ନିଜ ନିଜର ଆଭିମୁଖ୍ୟ ପହଞ୍ଚାଇବାକୁ ସୋସିଆଲ୍‌ ମିଡିଆକୁ ମାଧ୍ୟମ କରିଛନ୍ତି ନେତା ।ସେପଟେ ଗ୍ରାଉଣ୍ଡରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ମାତିଲେଣି ନେତା । ବାଲେଶ୍ବର ଉପନିର୍ବାଚନ ମଇଦାନରେ ଅଛନ୍ତି ୮ ପ୍ରାର୍ଥୀ । ଆଜି ପ୍ରାର୍ଥୀପତ୍ର ଯାଂଚ ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । ସତ୍ୟପାଠ କରିଥିବା ନୋଟାରୀଙ୍କ ଲାଇସେନ୍ସ ଅବଧି ସରିଯାଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ଉଭୟ ବିଜେପି ଓ କଂଗ୍ରେସ ।

ସେପଟେ ତିର୍ତ୍ତୋଲରେ ବଢ଼ୁଛି ନିର୍ବାଚନୀ ତାତି । ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୩୯ହଜାର ଭୋଟରଙ୍କ ଭିତରୁ ୨୬ହଜାର ସଂଖ୍ୟାଲଘୁ ଭୋଟର ଅଛନ୍ତି । ଯାହାକୁ ନଜରରେ ରଖି ରାଜ୍ୟସଭା ସାଂସଦ ମୁନ୍ନା ଖାଁକୁ ପ୍ରଚାର ପାଇଁ ମଇଦାନରେ ଉତ୍ତାରିଛି ବିଜେଡି । ହେଲେ କଂଗ୍ରେସ ଓ ବିଜେପି ମଧ୍ୟ ବିଜେଡିର ରଣନୀତିକୁ ଟକ୍କର ଦେବାକୁ ପ୍ଲାନ୍‌ କରିଛନ୍ତି । ନିର୍ବାଚନରେ ସଂଖ୍ୟାଲଘୁଙ୍କ ଭୋଟ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ ଏବେ ସବୁ ଦଳଙ୍କ ନଜର ତା’ ଉପରେ ରହିଛି ।ପନିର୍ବାଚନ ପାଇଁ ଆରମ୍ଭ ହୋଇଛି ତିନି ଦଳର ମହାଲଢ଼େଇ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କ ସମର୍ଥନ ପାଇବାକୁ ପୂରା ଦମ୍‌ ଲଗାଇଛନ୍ତି ଦଳର ତୁଙ୍ଗ ନେତା । ନୂଆ ନୂଆ ରଣନୀତି ପ୍ରସ୍ତତ୍‌ କରି ବିରୋଧୀଙ୍କୁ ମାତ୍‌ ଦେବାକୁ ଚାଲିଛି ଯୋଜନା ।

Leave A Reply

Your email address will not be published.