ଭୁବନେଶ୍ୱର,(ଏସ୍ଏନ୍ୟୁଜ): ରାଜଧାନୀରେ ଆଉ ୨ଟି ନୂତନ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଖୋଲିବ। ଯଦିଓ ପୂର୍ବରୁ ରାଜଧାନୀରେ ଗୋଟିଏ ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟ ରହିଛି, ତେବେ ଦିନକୁ ଦିନ ରାଜଧାନୀର କଳେବର ବୃଦ୍ଧି ପାଇବା ଓ ଲୋକସଂଖ୍ୟାକୁ ନଜରରେ ରଖି ନୂତନ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତହିଁରୁ ଗୋଟିଏ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟଟି ଏମ୍ସରେ ଖୋଲିବାର ଯୋଜନା ରହିଛି।୨୦୧୯ ମସିହା ଅନୁଯାୟୀ, ରାଜ୍ୟରେ ପ୍ରତି ୧ହଜାର ଜନସଂଖ୍ୟାରେ ୧୪.୩୨ ପ୍ରତିଶତ ଜନ୍ମ ହାର ଥିବା ବେଳେ ମୃତ୍ୟୁ ହାର ୭.୩୯ ରହିଛି। ରାଜ୍ୟରେ ଜନ୍ମର ୭୮ ପ୍ରତିଶତ ରିପୋର୍ଟିଂ ହୋଇପାରୁ ଥିବା ବେଳେ ମୃତ୍ୟୁର ୯୯.୯ ପ୍ରତିଶତ ରିପୋର୍ଟିଂ ହେଉଛି। ୨୦୧୧ ଜନଗଣନା ଅନୁସାରେ, ରାଜଧାନୀରେ ଏବେ ୧୦ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ଏହାସହ କିଛିବର୍ଷ ଭିତରେ ଘରୋଇ ଡାକ୍ତରଖାନା ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଥିବା ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ମାସକୁ ପ୍ରାୟ ୩ହଜାର ଜନ୍ମ ଓ ୧୫ଶହରୁ ଅଧିକ ମୃତ୍ୟୁର ପଞ୍ଜୀକରଣ କରାଯାଉଛି। ଯାହାଫଳରେ କାର୍ଯ୍ୟାଳୟରେ ଯଥେଷ୍ଟ ଚାପ ପଡ଼ୁଛି। ତେଣୁ ଗୋଟିଏ କାର୍ଯ୍ୟାଳୟରୁ ଚାପ ହଟାଇବା ଲାଗି ଆଉ ୨ଟି କାର୍ଯ୍ୟାଳୟ ଖୋଲିବା ନେଇ ସରକାର ଯୋଜନା କରିଛନ୍ତି।
ଭୁବନେଶ୍ବରରେ ୩ଟି ନିର୍ବାଚନମଣ୍ଡଳୀ ରହିଛି। ଏହାକୁ ନେଇ ୩ଟି ଜୋନ୍ ଗଠନ କରାଯାଇଛି। ପ୍ରତ୍ୟେକ ଜୋନ୍ରେ ଗୋଟିଏ ଲେଖାଏଁ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ସଂପୃକ୍ତ ଜୋନ୍ରେ ଯେଉଁ ସରକାରୀ/ଘରୋଇ ହସ୍ପିଟାଲ ଓ ଘରେ ହେଉଥିବା ମୃତ୍ୟୁର ପଞ୍ଜୀକରଣ ସେଠାରେ ହୋଇପାରିବ। ଏହାଛଡ଼ା ଏମ୍ସରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ ନିଜ ସ୍ଥାନରେ ନ ହୋଇ ମେଣ୍ଢାଶାଳସ୍ଥିତ ପିଏଚ୍ସିରେ କରାଯାଉଛି। ତେଣୁ ଜୋନ୍ ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଏହାକୁ ଖୋଲାଯିବାର ଅଧିକ ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ କର୍ତୃପକ୍ଷ ଏଥିପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏଥିରେ ହସ୍ପିଟାଲର ନିଜସ୍ବ କର୍ମଚାରୀ ନିଯୁକ୍ତ ହେବେ ନା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ କର୍ମଚାରୀ ନିୟୋଜିତ କରାଯିବ ତାହାକୁ ନେଇ ଆଲୋଚନା ଜାରି ରହିଛି। ୨ ନୂଆ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଖୋଲିବା ପରେ ପଞ୍ଜୀକରଣ ବ୍ୟବସ୍ଥା ଆହୁରି ସହଜ ଓ ସରଳ ହୋଇପାରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।