ଭୁବନେଶ୍ୱର(ଏସ୍ଏନ୍ୟୁଜ): ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ ହ୍ରାସ ପରେ ବନ୍ୟା ସ୍ଥିତିିରେ ସୁଧାର ଆସିଛି । ଜିଲ୍ଲାର କାଙ୍ଗୁରୁକୋଣ୍ଡା, ଏମ.ଭି.୯୬, କାଲିମେଳା କନ୍ୟାଶ୍ରମ, ତାର୍ଲାକୋଟା, ଚାଲାଣଗୁଡା ପୋଲ ଉପରୁ ବନ୍ୟା ଜଳ ହ୍ରାସ ପାଇଥାବାରୁ ସମସ୍ତ ଅଂଚଳକୁ ଯାନବାହନ ଚଳାଚଳ ଆରମ୍ଭ ହୋଇଛି? କାଲିମେଳା ବ୍ଲକର ସାବେରୀ ନଦୀ କୁଳିଆ ଗ୍ରାମ ବିନାୟକପୁର, ଆଲମା, ମୁରଲୀଗୁଡା ଓ ପଡିଆ ବ୍ଲକର କମାରଗୁଡା, ପରି ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ସଂପୃକ୍ତ ବ୍ଲକର ପ୍ରଭାବିତଙ୍କୁ ପଲିଥ୍ଖନ ଯୋଗାଇ ଦିଆଯାଉଛି । ଗୋଦାବରୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଥିବାରୁ ବ୍ୟାଜ ୱାଟର ପ୍ରଭାବରେ ସିଲେରୁ ଓ ସାବେରୀ ନଦୀର ଜଳସ୍ତର ନିଷ୍କାସିତ ହୋଇପାରୁ ନାହିଁ । ଫଳରେ ମୁଗି ପଏଂଟ ଅଂଚଳ ୮ରୁ ୧୦ ଫୁଟ ଜଳ ଘେରରେ ରହିଛି । ମୁଗି ପଏଂଟରୁ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ଜଳ ପଶି ରହିଥିବାବେଳେ ସେଠାକାର କିଛି ବାସଗୃହ କ୍ଷତିଗ୍ରସ୍ତ ହେବା ସହ ଗ୍ରାମ୍ୟରାସ୍ତା ମଧ୍ୟ ପ୍ରଭାବିତ ହୋଇଛି ।
ଜିଲ୍ଲାପାଳ ମନୀଷ ଅଗ୍ରୱାଲ କାଲିମେଳା ବ୍ଲକର ପେଟା, ଆଲମା, ମୁରଲୀଗୁଡା, ମୋଟୁସ୍ଥିତ ମୁଗି ପଏଂଟ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଳାରେ ୩୦୦ରୁ ଊର୍ଦ୍ଧ୍ୱ ଗୃହର ଆଂଶିକ କ୍ଷୟକ୍ଷତି ଘଟିଥିବାବେଳେ ୨ ହଜାର ହେକ୍ଟର ଜମି କ୍ଷୟକ୍ଷତି ଘଟିଛି । ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବ୍ଲକ ଓ ଜିଲ୍ଳା ପ୍ରଶାସନ ସଜାଗ ହୋଇ ରହିଛି ଏବଂ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ ପରେ ସହାୟତା ଦିଆଯିବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ରେଡୱାର୍ଣ୍ଣିଂ ଜାରି କରାଯାଇ ଥିବାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋଦାବରୀ ନଦୀରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ମୋଟୁ ଓ ପଡିଆ ଅଂଚଳରେ ବ୍ୟାକ ୱାଟର ପ୍ରଭାବ ରହୁଛି । ତେଣୁ ଜଳସ୍ତର ବୃଦ୍ଧ ହେବାର ସମ୍ଭାବନା ଥିବାରୁ ଆମେ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପ୍ରକାଶ କରିଛନ୍ତି । ବିପଦପୂର୍ଣ୍ଣ ଭଙ୍ଗା ବାସଗୃହରେ ଥିବା ଲୋକେ ଓ ବନ୍ୟାର ପ୍ରଭାବ ପଡୁଥିବା ସ୍ଥାନର ଲୋକେ ସେଠାରେ ନ ରହି ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଳାର ପ୍ରତ୍ୟେକ ପଂଚାୟତରେ ବନ୍ୟା ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରାଯିବା ସହ ଖାଦ୍ୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।