ବିସ୍ଫୋରଣକୁ ୬ ଦିନ, କଥା ଦେଇ ଫେରୁ ନାହାନ୍ତି ବାପା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣକୁ ବିତିଯାଇଛି ୬ ଦିନ । ବିସ୍ଫୋରଣରେ ସର୍ବହରା ହୋଇଯାଇଥିବା ପରିବାର ଗୁମୁରି ଗୁମୁରି କାନ୍ଦୁଛନ୍ତି । କିଏ ରୋଜଗାରିଆ ବାପାଙ୍କୁ ଝୁରୁଛି ତ’ ଆଉ କିଏ ବାପାଙ୍କ ଫେରିବା ବାଟକୁ ଅନାଇ ରହିଛି। ବିଡ଼ମ୍ବନାର କଥା ହେଉଛି, ଏତେବଡ଼ ଦୁର୍ଘଟଣାରେ ଜଣଙ୍କୁ ଛାଡ଼ିଦେଲେ ଆଉ କିଏ ମୃତ ନା ଜୀବିତ, କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏଭଳି ସ୍ଥିତିରେ ଆଶା ଆଶଙ୍କା ଭିତରେ ରହି ଶୋକାକୂଳ ଅବସ୍ଥାରେ କାଳ କାଟୁଛନ୍ତି ପରିବାର ।

ଯେଉଁ ବାପା ଦିନେ/ଦୁଇଦିନ ଭିତରେ ଫେରିବାର ପ୍ରତିଶ୍ରୁତି ଦେଇଥିଲେ, ଆସିଲାବେଳେ ବହୁ  ଜିନିଷ ଆଣିଦେବି କହିଥିଲେ, ସେହି ବାପା ଏବେ ଗଲେ କୁଆଡ଼େ ? ଖୁଆଇଦେବାଠୁ ଶୁଆଇଦେବା ପର୍ଯ୍ୟନ୍ତ ସବୁ କାମ କରୁଥିବା ବାପା ଆସୁନାହାଁନ୍ତି କାହିଁକି? ପାଠ ପଢ଼ି ଭଲ ମଣିଷ ହେବାର ମନ୍ତ୍ର ଦେଉଥିବା ବାପାଙ୍କ କଥା ଆଜି ଗୋଟି ଗୋଟିଏ ହୋଇମନେପଡୁଛି ଏହି ଅବୋଧ ଟିକି ପୁଅକୁ । କାରଣ ସେ ଜାଣିନି, ବାପା କାହିଁକି ଫେରୁନାହାଁନ୍ତି । ରାଜଧାନୀର ସେହି ରାକ୍ଷସ ରୂପୀ ବିସ୍ଫୋରଣ ପରଠୁ ତାବାପା ସୀମାଞ୍ଚଳ ପରିଡ଼ା ଏବେ ବି ବି ନିଖୋଜ। ଅକ୍ଟୋବର ୭ ଅପରାହ୍ନ ପ୍ରାୟ ଗୋଟାଏ । ଅନ୍‌ଲାଇନ୍ କ୍ଲାସ ଥିବାରୁ ପୁଅକୁ ମୋବାଇଲରେ ପଠାଇଦେଇଥିଲେ ଲିଙ୍କ୍ । ହେଲେ ସେହି ମେସେଜ୍ ପରଠୁ ସୁଇଚ୍ ଅଫ୍ ହୋଇଯାଇଛି ଆସିକା ଗହଙ୍ଗୁ ଗାଁର ସୀମାଞ୍ଚଳଙ୍କ ମୋବାଇଲ୍ । ବିସ୍ଫୋରଣ ପୂର୍ବରୁ ସେହି LPG ଟ୍ୟାଙ୍କର୍ରେ କାମ କରୁଥିଲେ ସୀମାଞ୍ଚଳ । କିନ୍ତୁ ତାଙ୍କର ପତ୍ତା ମିଳୁନଥିବାରୁ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରି ପରିବାର ଲୋକେ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ବି କରିସାରିଲେଣି।

Leave A Reply

Your email address will not be published.