ବିଧାନସଭା ଉପ ନିର୍ବାଚନ
ଭୁବନେଶ୍ୱର(ଏସ୍ଏନ୍ୟୁଜ):ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ବାଲେଶ୍ୱର ସଦର ପାଇଁ ଦଳର ପ୍ରାର୍ଥୀ ହୋଇଛନ୍ତି ସ୍ୱରୂପ କୁମାର ଦାସ । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ପୂର୍ବରୁ ଉଭୟ ଆସନ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ସୋମବାର ଉଭୟ ଆସନ ପାଇଁ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିଛି । ବିଧାନସଭା ଉପ ନିର୍ବାଚନ ନେଇ ସରଗରମ ହୋଇଛି ରାଜନୀତି । ବିଜେପି ପରେ ଏବେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ବାଲେଶ୍ୱର ସଦର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନ ପାଇଁ ପୂର୍ବତନ ବାଲେଶ୍ୱର ନଗରପାଳ ଅନୁପ ଦାସଙ୍କ ଭାଇ ସ୍ୱରୂପ କୁମାର ଦାସ ଦଳ ପ୍ରାର୍ଥୀ କରିଛି ।

ସେହିପରି ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଅବର୍ତ୍ତମାନରେ ତିର୍ତ୍ତୋଲରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ତାଙ୍କ ପୁଅ ବିଜୟ କୁମାର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି ।ଅପରପକ୍ଷରେ ବାଲେଶ୍ୱର ସଦର ଆସନ ପାଇଁ ପୂର୍ବତନ ଦଳୀୟ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଛି । ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ରାଜ କିଶୋର ବେହେରାଙ୍କୁ ତିର୍ତ୍ତୋଲ ଆସନ ପାଇଁ ଦଳ ପ୍ରାର୍ଥୀ କରିଛି । ତେବେ ଏ ଯାଏଁ କଂଗ୍ରେସ କୌଣସି ବି ଆସନ ପାଇଁ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ ।