ନାବାଳିକା ନିଖୋଜ : ବାଲିଅନ୍ତାରୁ ଅପହରଣ ଭଣ୍ଡାରିପୋଖରୀରୁ ଉଦ୍ଧାର

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): କୋଚିଂ ସେଣ୍ଟର ଯାଉଥିବା ବେଳେ ରାସ୍ତାରୁ ଜଣେ ନାବାଳିକାକୁ ଜୋର୍‌ କରି ବାଇକ୍‌ରେ ଅପହରଣ କରିନେଇଥିବା ଅଭିଯୋଗରେ ଆଜି ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅପହର୍ତ୍ତାଜଣକ ହେଲା, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ସିଦ୍ଧାନ୍ତ ସାହୁ (୨୨)। ଗତକାଲି ବାଲିଅନ୍ତା ଥାନା ପୁଲିସ ଭଦ୍ରକ ଭଣ୍ଡାରିପୋଖରୀରେ ସେମାନଙ୍କୁ ଠାବ କରିଥିଲା। ନାବାଳିକାକୁ ପରିବାରଲୋକଙ୍କ ଜିମାରେ ଛଡ଼ା ଯାଇଥିବା ବେଳେ ଅଭିଯୁକ୍ତ ସିନ୍ଧାନ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିଲା ଓ ଜାମିନ ଆବେଦନ ନାମଂଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ବାଲିଅନ୍ତା ଥାନା କେସ୍‌ ନମ୍ବର ୨୩୪/୨୦ ରେ ହୋଇଥିବା ମାମଲା ଓ ଅଭିଯୋଗ ଅନୁସାରେ, ଗତ ୭ ତାରିଖରେ ୧୬ ବର୍ଷୀୟ ଏହି ନାବାଳିକାଜଣକ ଘରୁ ସାଇକେଲ ଯୋଗେ ବେଣ୍ଟପୁରସ୍ଥିତ ଏକ କୋଚିଂ ସେଣ୍ଟରକୁ ଯାଉଥିଲେ। ବାଟରୁ ତାଙ୍କୁ ସିଦ୍ଧାନ୍ତ ବାଇକ୍‌ରେ ଉଠାଇ ନେଇଥିଲା। ବାଟରେ ସାଇକେଲଟି ସେମିତି ପଡ଼ି ରହିଥିଲା। ଅନ୍ୟପକ୍ଷରେ ନାବାଳିକାଜଣକ ଧାର୍ଯ୍ୟ ସମୟରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଓ ରାସ୍ତାରୁ ସାଇକେଲ ପାଇଥିଲେ। ତେଣୁ ସନ୍ଦେହ କରି ସେମାନେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବରୁ ସିଦ୍ଧାନ୍ତ ନାବାଳିକାକୁ କୋଚିଂ ସେଣ୍ଟର ରାସ୍ତାରେ ପିଛା କରୁଥିବା ସୂଚନା ପାଇବା ପରେ ପୁଲିସ ସିଦ୍ଧାନ୍ତ ପଛରେ ପଡ଼ି ଯାଇଥିଲା। ବାଲିଅନ୍ତା ଥାନା ପୁଲିସର ଏକ ଟିମ୍‌ ଗତକାଲି ରାତିରେ ଭଣ୍ଡାରିପୋଖରୀରେ ଚଢ଼ଉ କରି ଅପହୃତା ନାବାଳିକା ସମେତ ଅପହର୍ତ୍ତା ସିଦ୍ଧାନ୍ତକୁ ଠାବ କରିଥିଲା।

Leave A Reply

Your email address will not be published.