ତିତ୍‌ଲି ଭୟ ଯାଇନି : ପୁଣି ଏକ ସମ୍ଭାବ୍ୟ ବାତ୍ୟା

ସଜାଗ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ତିତ୍‌ଲି ବାତ୍ୟାକୁ ଦୁଇ ବର୍ଷ ପୂରିଲା। ୨୦୧୮ ଅକ୍ଟୋବର ୧୨ ତାରିଖ ତିତ୍‌ଲି ବାତ୍ୟା ପ୍ରଭାବରେ କନ୍ଧମାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚାରିପାଞ୍ଚ ସ୍ଥାନରେ ଭୁସ୍ଖଳନ ହୋଇଥିଲା। ଏଥିରେ ଶତାଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ଚାଷ ଜମି ଉଜୁଡ଼ି ଯାଇଥିଲା। ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ରୁ ଅଧିକ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା। ସେଦିନର ମହାପ୍ରଳୟକୁ ଏବେ ବି କ୍ଷତିଗ୍ରସ୍ତ ପରିବାର ଭୁଲି ପାରିନାହାନ୍ତି। ତିତ୍‌ଲିକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ଭୟ ଦୂର ହୋଇନାହିଁ। ପୁଣି ଏକ ବାତ୍ୟା ଆସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ତାଲିକାରେ କନ୍ଧମାଳ ଥିବାରୁ ଜିଲ୍ଲାବାସୀ ଆଶା ଆଶଙ୍କାରେ ରହିଛନ୍ତି।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ‌ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଡିଓ ଓ ତହସିଲଦାରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି। ତିତ୍‌ଲି ସମୟରେ ଦୁଇଟି ସ୍ଥାନରେ ଭୁସ୍ଖଳନ ହୋଇଥିବାରୁ ପାହାଡ଼ ପାଖରେ ବସବାସ କରୁଥିବା ‌ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ସତର୍କ କରାଯାଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷ ଓ ଖାଦ୍ୟ ମହଜୁଦ ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.