ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲା ପରେ ଦେଶବ୍ୟାପି ବିରୋଧ ଜାରି ରହିଛି। ହାଥରସ ମାମଲାରେ ପୋଲିସ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କେନ୍ଦ୍ର ସରାକର ବଡ଼ ପଦକ୍ଷେପ ନେଇଛନ୍ତି। ଥାନାରେ ଅଭିଯୋଗ ଓ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ବାରମ୍ବାର ପୋଲିସ ଷ୍ଟେସନକୁ ଆସିବାକୁ ପଡ଼େ। ମହିଳାଙ୍କ ଠିକ୍ ସମୟରେ ଉଚିତ ସେବା ପୋଲିସ୍ ପକ୍ଷରୁ କିଭଳି ମିଳିପାରିବ ସେ ନେଇ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହ ମନ୍ତ୍ରାଳୟ ଆଜି (ଶନିବାର) ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରନ୍ତୁ।
ଏହା ସହ ପ୍ରତିଟି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ ପ୍ରତିଟି ମାମଲାରେ ଏତଲା ରୁଜୁ କରିବା ଅନିବାର୍ଯ୍ୟ। ଯଦି କୌଣସି ଅଧିକାରୀ ଏହାକୁ ଅଣଦେଖା କରନ୍ତି ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର କୁହାଯାଇଛି।
କାହିଁକି ଜାରି ହେଲା ଆଡଭାଇଜରି: ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ୍ର ସମ୍ବେଦନହୀନତା ମାମଲା ପ୍ରାୟ ଦେଖିବାକୁ ମିଳେ। ଏତଲା ରୁଜୁ କରିବାରେ ସେମାନେ ବିଳମ୍ବ କରନ୍ତି। ଏହା ସହ ମେଡିକାଲ ଚିକତ୍ସା ଠିକ୍ ସମୟରେ ନ କରିବା, ଜାଣିଶୁଣି ମାମଲାକୁ ଦୁର୍ବଳ କରିବା, ମାମଲାକୁ ଟାଳିବାକୁ ଚେଷ୍ଟା କରିବା ଆଦି ଅଭିଯୋଗ ଆାସେ। ବଳାତ୍କାର ମାମଲାରେ ପୋଲିସ ଅଧିକାରୀ ଫରେନସିକ ପ୍ରକ୍ରିୟା ପାଳନ କରି ନ ଥାନ୍ତି। ଏହା ଦ୍ବାରା ଗୁରୁତର ପ୍ରମାଣ ନଷ୍ଟ ହୋଇଥାଏ ଓ ମାମଲା ଦୁର୍ବଳ ହୋଇଥାଏ। ତେବେ ଯେଉଁଭଳି ଭାବେ ଆଡଭାଇଜରୀରେ ତଦନ୍ତ ପ୍ରକ୍ରିୟା ଉପରେ ଜୋର ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ପୋଲିସ କାର୍ଯ୍ୟ ଉପରେ ସନ୍ତୁଷ୍ଟ ନାହାନ୍ତି ସରକାର।