କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ଋଣ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ବର ,(ଏସ୍ଏନ୍ୟୁଜ):: ଓଡିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ (କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।ଚିଠିରେ ଜଗତସଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଖଣ୍ଡାସାହି ଗ୍ରାମର ଦୁଗ୍ଧ ଚାଷୀ ଧ୍ରୁବ ଚରଣ ପରିଡାଙ୍କ ଏକ ଅଭିଯୋଗ ପତ୍ରକୁ ସଲଗ୍ନ କରି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ବ୍ୟାଙ୍କ୍ ମାଧ୍ୟମରେ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଥିବା ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ତେଣୁ ଏହି ମାମଲାରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଧ୍ରୁବଚରଣ ପରିଡା ନାମ୍ନୀ ଦୁଗ୍ଧ ଚାଷୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପତ୍ର ନମ୍ବର (ଏମ୦୧୦୦୭୧୫୧୨୦୨୦), ତା-୨୭.୦୭.୨୦୨୦ରେ ବ୍ୟାଙ୍କ ଜରିଆରେ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର କିଷାନ କ୍ରେଡିଟ୍ କାର୍ଡ୍ ଦେବାକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ ବ୍ୟାଙ୍କ୍ ମାନେ ଋଣ ଦେବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି । ଯେଉଁ କାରଣରୁ ଓମଫେଡ୍ ଚାଷୀମାନେ କୋଭିଡ୍-୧୯ ସମୟରେ ହଇରାଣ ହେଉଛନ୍ତି । ଏହି ଋଣ ବ୍ୟବସ୍ଥା ହୋଇପାରିଲେ ଜଗତସିଂହପୁରର ଅନେକ ଓମଫେଡ୍ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ବୋଲି ଧ୍ରୁବଚରଣ ପରିଡା ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ।