ସେମିଳିଗୁଡା ହୋମଗାର୍ଡ ମୃତ୍ୟୁ ମାମଲା : ହୋମଗାର୍ଡଙ୍କ ପତ୍ନୀଙ୍କୁ ଲକ୍ଷ୍ମୀପୁର ଏସଡିପିଓଙ୍କ ପଚରାଉଚୁରା

ଜୟପୁର,(ଏସ୍‌ଏନ୍ୟୁଜ):: ହୋମଗାର୍ଡ ବସନ୍ତ ପଣ୍ତାଙ୍କ ମୃତ୍ୟୁକୁ ଦୁଇବର୍ଷ ବିତିଥିବାବେଳେ ଘଟଣାର ଆଜି ତନାଘନା କରିଛନ୍ତି ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନ କୁମାର ନାୟକ। ତାଙ୍କ ପତ୍ନୀ ଲିତିକା ସାହୁ ଓଡ଼ିଶା ମାନବିକ ଅଧିକାର ଆୟୋଗ ନିକଟରେ ଅଭିଯୋଗ କରିବା ପରେ ଏହାର ତନାଘନା କରିଛନ୍ତି ଶ୍ରୀ ନାୟକ। ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିବା ସହ ଆସନ୍ତା ଶନିବାର ଦିନ ସେମିଳିଗୁଡାକୁ ଡାକିଛନ୍ତି। ସେଠାରେ ଘଟଣା ସମୟରେ ରହିଥିବା ସାକ୍ଷୀଙ୍କ ଉପସ୍ଥିତିରେ ଘଟଣାର ପଚରାଉଚୁରା କରାଯିବ ବୋଲି ସେ ଲିତିକାଙ୍କୁ କହିଥିବା ଜଣାପଡିଛି।ମିଳିଥିବା ସୂଚନା ମୁତାବକ ୨୦୧୮ ମସିହା ଏପ୍ରିଲ ୨୦ ରାତିରେ ହୋମଗାର୍ଡ ବସନ୍ତ ପଣ୍ତାଙ୍କ ମୃତ୍ୟୁ ହୋଇଥିଲା। ମୃତ ଦେହ ସେମିଳିଗୁଡା ଥାନା ନିକଟସ୍ଥ ଏକ ରାସ୍ତା କଡ଼ରେ ପଡିଥିଲା। ଏହାପୂର୍ବରୁ ସେମିଳିଗୁଡା ତଳସାହିରେ ଥିବା ଭିଣୋଇ ସଚିନ୍ଦ୍ର ପଣ୍ତାଙ୍କ ଘରେ ଆସି ରହୁଥିଲେ ବସନ୍ତ। ହେଲେ ୨୦ତାରିଖ ରାତିରେ ମୃତ୍ୟୁ ହେବା ପରେ ଜୟପୁର ସଦର ଥାନା ଅନ୍ତର୍ଗତ ମୂଳାସର ଠାରେ ରହୁଥିବା ବସନ୍ତଙ୍କ ପତ୍ନି ଲିତିକା ସାହୁଙ୍କୁ ଏପରି ଘଟଣା ଜଣାଇବା ପରେ ସ୍ତ୍ରୀ ଓ ପିଲାମାନଙ୍କ ସମେତ ପରିବାର ଲୋକେ ସେମିଳିଗୁଡା ଠାରେ ପହଞ୍ଚିଲେ। ସ୍ତ୍ରୀ ଲତିକା ସାହୁ ସ୍ବାମୀଙ୍କ ମୃତଦେହ ଦେଖି କ୍ଷତ ବିକ୍ଷତ ଚିହ୍ନ ଥିବାରୁ ସନ୍ଦେହ କରି ପୋଲିସରେ ଜଣାଇବା ଓ ଅଭିଯୋଗ କରିବା ପାଇଁ କହିଥିଲେ। କିନ୍ତୁ ଉପସ୍ଥିତ ଥିବା ପରିବାରବର୍ଗ ଏହାକୁ କର୍ଣ୍ଣପାତ କରି ନ ଥିଲେ। ଏପରିକି ଶବ ବ୍ୟବଛେଦ ନ କରି ଶେଷକୃତ୍ୟ ସ˚ପନ୍ନ କରିଥିବାନେଇ ଆୟୋଗ ନିକଟରେ ଅଭିଯୋଗ କରିଥିଲେ। ଲତିକାଙ୍କ ଅଭିଯୋଗ ଯେ ତାଙ୍କ ସ୍ୱାମୀଙ୍କୁ ଭିଣୋଇ ସଚିନ୍ଦ୍ର ପଣ୍ତାଙ୍କ ସମେତ ଆଉ ଜଣେ ଭିଣୋଇ ସେମିଳଗୁଡା ଥାନାରେ ହୋମଗାର୍ଡ ଥିବା ବୃନ୍ଦାବନ ଷଡଙ୍ଗୀଙ୍କ ସମେତ ପରିବାରର ମୋଟ ୭ଲୋକ ବସନ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ଥାନାରେ ୧୦୯/୨୦୧୮ରେ ଏକ ମାମଲା ରୁଜୁ କରାଯାଇଛି।ତେବେ ହୋମଗାର୍ଡ ବସନ୍ତ ପଣ୍ତା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଫାଣ୍ତିରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲାବେଳେ ଅସୁସ୍ଥତା କାରଣରୁ ସେ ୨୦୧୭ ଡିସେମ୍ବରରୁ ୨୦୧୮ ଏପ୍ରିଲ ୨୦ ଯାଏଁ ଛୁଟିରେ ଥିଲେ। ଏହାରି ମଧ୍ୟରେ ଭିଣୋଇମାନେ ସେମିଳିଗୁଡା ଥାନାରେ ପୋଷ୍ଟି˚ କରିଦେବା କହି ଏପ୍ରିଲ ୧୩ରେ ସେଠାକୁ ଡାକିଥିଲେ। କିନ୍ତୁ ଏପ୍ରିଲ ୨୦ରେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ଘଟଣାର ତିନି ମାସ ପରେ ଲତିକା ସାହୁ କୋରାପୁଟ ଏସପିଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ତାପରେ ଯାଇ ଡିସେମ୍ବର ୫ତାରିଖରେ ସେମିଳିଗୁଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏଯାଏ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ। ଏସପିଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦୁଇ ଦୁଇ ଥର ତଦନ୍ତ ପରେ ବି ରିପୋର୍ଟ ପ୍ରକାଶ ପାଇପାରିନି। ତେବେ ଏବେ ବଡ ପୁଅ ଶିବ ପ୍ରସାଦ ପଣ୍ଡା ଓ ସାନପୁଅ ଦୁର୍ଗା ପ୍ରସାଦ ପଣ୍ଡା ଅଜା ଘରେ ରହି ବାଲିମେଳା କଲେଜରେ ଯୁକ୍ତଦୁଇରେ ପାଠ ପଢୁଥିବାବେଳେ ଦିନକୁ ଦିନ ଆର୍ଥିକ ସ୍ଥିତି ବିଗୁଡୁଥିବା ଲିତିକା କହିଛନ୍ତି।

Leave A Reply

Your email address will not be published.