ଚାନ୍ଦବାଲି,(ଏସ୍ଏନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି । ଏହି ବିରଳ ମାଛ ଦେଖିବାକୁ ସୁନ୍ଦର । ହେଲେ ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ । ସାଧାରଣତଃ ବାହାର ଦେଶରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳନ୍ତି । ଏବେ ଚାନ୍ଦବାଲି ଅଞ୍ଚଳର କ୍ରିଷ୍ଣା ନାମକ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଧରି ନିଜ ଘରେ ଏକ କୁଣ୍ଡରେ ରଖିଛନ୍ତି ।ଗତ ମାସରେ ବୈତରଣୀ ବନ୍ୟାରେ ମାଛଟି ଭାସି ଆସିଥିବାବେଳେ ସେ ବନ୍ୟା ଜଳରୁ ପାଇଥିଲେ ବୋଲି କ୍ରିଷ୍ଣା କହିଛନ୍ତି । ବିଷଯୁକ୍ତ ହୋଇଥିବାରୁ ଏହି ମାଛକୁ ଖାଦ୍ୟ ଭାବେ ଗ୍ରହଣ କରାଯାଏ ନାହିଁ । ତେବେ ଆଖିକୁ ସୁନ୍ଦର ଦେଖାଯାଉଥିବାରୁ ମାଛଟିକୁ ସେ ସଂରକ୍ଷଣ କରି ରଖିଛନ୍ତି ବୋଲି କ୍ରିଷ୍ଣା କହିଛନ୍ତି ।ମାଛର ଦେହସାରା ତୀକ୍ଷ୍ଣ କଣ୍ଟା ରହିଥିବାବେଳେ ତଳ ପଟେ ଏହାର ପାଟି ରହିଛି । ବିଲେଇ ପରି ମୁହଁ ହୋଇଥିବାରୁ ଏହାକୁ କ୍ୟାଟ୍ ଫିସ୍ କୁହାଯାଏ । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ବେଷଣରେ ଏହି ପ୍ରଜାତିର ମାଛ ଓଡ଼ିଶା ପୂର୍ବ ଉପକୂଳକୁ ଆସିଥିବା ଅନୁମାନ କରାଯାଉଛି ।