ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ

ଭୁବନେଶ୍ୱର,(ଏସ୍‌.ଏ. ନ୍ୟୁଜ): କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସି ମଧ୍ୟରେ ଉତମ ସମନ୍ୱୟ ଯୋଗୁଁ ରାଜ୍ୟରେ ମାଓଉପଦ୍ରବ ଜିଲ୍ଲା ୧୦କୁ ଖସିଛି । ଆଗକୁ ମାଓଉପଦ୍ରବ ଜିଲ୍ଲା ସଂଖ୍ୟାରେ ଅହୁରି ହ୍ରାସ କରାଯିବ । କେନ୍ଦ୍ରୀୟ ସୁରକ୍ଷା ବଳର ସହଯୋଗରେ ମାଓଦମନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ରାଜ୍ୟର ୩ ମାଓପ୍ରବଣ ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ (ସିଏପିଏଫ) ମୁତୟନ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ପ୍ରତିଶ୍ରୁତି ଦେଇଛନ୍ତି ।
ଶନିବାର ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟରେ ମାଓ ପ୍ରଭାବକୁ ପ୍ରତିହତ କରିବା ଲାଗି ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ମାଓ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ରଣକୌଶଳ, ରାଜ୍ୟରେ କେନ୍ଦ୍ରୀୟ ଫୋର୍ସ ମୁତୟନ ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟର ଅତ୍ୟଧିକ ମାଓପ୍ରବଣ ଅଂଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ସହଯୋଗରେ ମାଓଦମନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ରାଜ୍ୟରେ ଏବେ ୧୦ ଜିଲ୍ଲାରେ ମାଓ ଉପଦ୍ରବ ଜାରି ରହିଛି । ସେଥିମଧ୍ୟରୁ କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ମାଓ ପ୍ରଭାବ ଟିକେ ଅଧିକ ରହିଛି । ତେଣୁ ଉକ୍ତ ୩ ଜିଲ୍ଲାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ (ସିଏପିଏଫ) ମୁତୟନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ସେହିପରି କେନ୍ଦ୍ରୀୟ ପୁଲିସ ବଳ ସହ ସମନ୍ୱୟ ରକ୍ଷା କରି ମାଓଦମନ କାର୍ଯ୍ୟକୁ ଆଗେଇ ନେବାକୁ ବୈଠକରେ ସ୍ଥିର କରାଯାଇଛି । କେନ୍ଦ୍ର ଓ ରାଜ୍ୟ ପୁଲିସ ମଧ୍ୟରେ ଉତମ ସମନ୍ୱୟ ରହିଲେ ଓଡ଼ିଶାକୁ ମାଓମୁକ୍ତ କରାଯାଇପାରିବ ବୋଲି ଶ୍ରୀବିଜୟ କୁମାର ବୈଠକରେ ରାଜ୍ୟ ପୁଲିସକୁ ପରାମର୍ଶ ଦେଇଛନ୍ତି ।
ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି, ଦେଶରେ ମାଓ ପ୍ରଭାବିତ ଅଂଚଳ କମିବାରେ ଲାଗିଛି । ସାରା ଦେଶରେ ମାଓଉପଦ୍ରବ ଅଂଚଳ କମୁଥିବା ବେଳେ ନିକଟରେ ଓଡ଼ିଶାରେ ଆଉ ୫ଜିଲ୍ଲାରେ ନକ୍ସଲ ମୁକ୍ତ ହୋଇଛି । ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟ ପୁଲିସର ବଳିଷ୍ଠ ସୁରକ୍ଷା ଯବାବୀ ପଦକ୍ଷେପ ଓ ସରକାରଙ୍କ ବ୍ୟାପକ ବିକାଶ ମୂଳକ କାର୍ଯ୍ୟକ୍ରମ ଚାଲୁ ରହିବା ଯୋଗୁଁ ପରିସ୍ଥିତିରେ ପରିବର୍ତନ ଲକ୍ଷ୍ୟ କରାଯାଉଛି । ବିଶେଷ କରି କେନ୍ଦ୍ର ଓ ରାଜ୍ୟ ପୁଲିସ ମଧ୍ୟରେ ଉତମ ସମନ୍ୱୟ ମାଓଦମନ କ୍ଷେତ୍ରରେ ବେଶ ସହାୟକ ହୋଇଛି । ଆଗକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ପୁଲିସ ବଳ ସହ ଉତମ ସମନ୍ୱୟ ରକ୍ଷା କରାଯାଇ ମାଓଦମନକୁ ତ୍ୱରାନ୍ୱିତ କରାଯିବ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଡିଜି ଏ.ପି ମାହେଶ୍ୱରୀ, ପୁଲିସ ଡିଜି ଶ୍ରୀ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଆଇଜି (ଅପରେସନ) ଅମିତାଭ ଠାକୁର, ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.