ଭୁବନେଶ୍ୱର,(ଏସ୍ଏନ୍ୟୁଜ): ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । କିଛିଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିଲେ । ଶୁକ୍ରବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । କରୋନାରୁ ସେ ସୁସ୍ଥ ହୋଇଥିଲେ, ମାତ୍ର ତାଙ୍କ ସ୍ୱାସ୍ତ୍ୟବସ୍ଥାରେ ସୁଧାର ଆସିନଥିଲା। ତାଙ୍କୁ ଆୟୁ ସିୟୁରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା ।
ଶ୍ରୀ ମହାରଥି ୧୯୫୫ ମସିହା ଜୁଲାଇ ୪ ତାରିଖରେ ପିପିଲି ଖୋରପଡାରେ ଜନ୍ମ ଗ୍ରହଣ କରିଥିଲେ । ଗୋକୁଳାନନ୍ଦ ମହାରଥିଙ୍କ ସେ ସୁଯୋଗ୍ୟ ସନ୍ତାନ ଥିଲେ । ଛାତ୍ର ଜୀବନରେ ସେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିରେ ଯୋଗ ଦେଇଥିଲେ । ପୁରୀ ଏସସିଏସ କଲେଜରେ ପାଠ ପଢିବା ବେଳରୁ ରାଜନୀତିରେ ପାଦ ଦେଇଥିଲେ । ୧୯୮୫ ମସିହାରେ ସେ ଜନତା ପାର୍ଟି ଟିକେଟରୁ ପିପିଲି-ଡେଲାଙ୍ଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୦ରେ ମଧ୍ୟ ଜନତା ପାର୍ଟି ଟିକେଟରୁ ବିଜୟୀ ହୋଇଥିଲେ । ପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ପିପିଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏଥିସହିତ ସେ ଏକାଧିକ ଥର ମନ୍ତ୍ରୀ ହୋଇଥିଲେ । ସେ ସବୁ ବେଳେ ଲୋକଙ୍କ ସହ ରହି କାମ କରିବାକୁ ପସନ୍ଦ କରୁଥିଲେ । ତୃଣମୂଳସ୍ତରରୁ ଲୋକଙ୍କ ସୁଖଦଃଖରେ ସାମିଲ ହେଉଥିଲେ । ତାଙ୍କ ମୃତ୍ୟୁରେ ପିପିଲି-ଡେଲାଙ୍ଗ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି ।
Prev Post
Next Post