ଓଡ଼ିଶାରେ ଅନଲକ୍ ୫.୦
ଭୁବନେଶ୍ୱର,(ଏସ୍ଏନ୍ୟୁଜ): ଓଡ଼ିଶାରେ ଅନଲକ୍ ୫.୦ ଆରମ୍ଭ ହୋଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଅକ୍ଟୋବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗ ଦର୍ଶିକା ଜାରି କରିଛନ୍ତି ।ଗାଇଡ୍ଲାଇନ୍ ଅନୁସାରେ ସରକାର ପୂର୍ବବତ୍ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି । କୋଭିଡ୍-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର।କଣ୍ଟେନମେଣ୍ଟ ଜୋନ୍ରେ ଏହି ନିଷେଧାଦେଶ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ କୋଭିଡ୍-୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ।କୋଭିଡ୍-୧୯ ସଂକ୍ରମଣର ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକୁ ଚିହ୍ନଟ କରିବେ। ଏହି କଣ୍ଟେନମେଣ୍ଟ ଜୋନ୍ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ଉଲ୍ଲେଖ ରହିବ।କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍ଡାଉନ୍ ଲଗାଇବାକୁ ଚାହିଁବେ, ତେବେ ସେମାନଙ୍କୁ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ସୂଚୀତ କରିବେ ଓ ଏଥିପାଇଁ ଅନୁମତି ଆଣିବେ।
ଓଡ଼ିଶାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସିନେମା ହଲ, ଥିଏଟର

କେନ୍ଦ୍ର ସରକାର ଅନଲକ ୫.୦ ଗାଇଡଲାଇନ ଜାରି କରିବାର ଦିନକ ପରେ ଓଡ଼ିଶା ସରକାର ନିଜସ୍ୱ ଅନଲକ୍ ୫.୦ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ପ୍ରକାଶ ପାଇଛି। ଏହି ଗାଇଡଲାଇନରେ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସିନେମା ହଲ, ସୁଇମିଂ ପୁଲ, ଥିଏଟର, ମନୋରଞ୍ଜନ କଂପ୍ଲେକ୍ସ, ଅଡିଟୋରିୟମ, ସଭାଗୃହ ଆଦିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।ତେବେ ମୁକ୍ତାକାଶ ଥିଏଟରଗୁଡ଼ିକୁ ସର୍ତ୍ତମୂଳକ ଭାବେ ଖୋଲିବା ଅନୁମତି ଦିଆଯାଇଛି। ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ଆଦି କୋଭିଡ କଟକଣା ସହିତ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।ସରକାର ଆଉ ଏକ ମାସ ପାଇଁ ସିନେମା ହଲ ଓ ଥିଏଟର ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ତାହା ରାଜ୍ୟର ମନୋରଞ୍ଜନ ଶିଳ୍ପ, କଳାକାର, ସାଧାରଣ ଜନତାଙ୍କୁ ନିରାଶ କରିଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଆକଳନ କରାଯାଇଛି।
ନିର୍ବାଚନୀ ସଭାସମିତିକୁ ସର୍ତ୍ତମୂଳକ ଅନୁମତି; ଅନ୍ୟ ସବୁ ସମାବେଶ ବନ୍ଦ

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ନିର୍ବାଚନୀ ସଭାସମିତିକୁ ସର୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ଏଥିସହିତ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ସର୍ତ୍ତମୂଳକ ରାଜନୈତିକ ବା ନିର୍ବାଚନୀ ସମାବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରା ଯାଇଥିବା ସର୍ତ୍ତ ଅନୁଯାୟୀ କୌଣସି ନିର୍ବାଚନୀ ସମାବେଶରେ ଏକକାଳୀନ ୧୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହୋଇ ପାରିବେ ନାହିଁ। ନିର୍ବାଚନୀ ସମାବେଶ ଆୟୋଜନ କରୁଥିବା ରାଜନୈତିକ ଦଳ ବା ପ୍ରାର୍ଥୀଙ୍କୁ ପ୍ରସ୍ତାବିତ ସମାବେଶ ପାଇଁ ନିର୍ବାଚନ କମିଶନ/ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କିମ୍ବା ସେମାନଙ୍କ ଦ୍ୱାରା ଅଧିକୃତ ହୋଇଥିବା ଅଧିକାରୀଙ୍କ ଠାରୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ କୌଣସି ପ୍ରକାରର ନିର୍ବାଚନୀ ସମାବେଶର ଆୟୋଜନ ହୋଇପାରିବ ନାହିଁ। ସେହିପରି ସମବେଶ ସ୍ଥଳୀରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପାଇଁ ଥର୍ମାଲ ସ୍କିନିଂ, ମାସ୍କ ପରିଧାନ ସହ ସାମାଜିକ ଓ ଶାରୀରିକ ଦୂରତା (ପରସ୍ପର ମଧ୍ୟରେ ୬ ଫୁଟର ବ୍ୟବଧାନ) ଓ ହାତ ଧୋଇବା ବା ସାନିଟାଇଜ୍ କରିବାକୁ ବାଧ୍ୟତାମୂଳକ କରାଯିବା ସହ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯଦି କୌଣସି ହଲ, ଅଡିଟୋରିୟମ ବା ରୁଦ୍ଧ କଠୋରିରେ ଏହି ସମାବେଶ ଆୟୋଜିତ ହେଉଥାଏ ତେବେ ସେଠାରେ ଥିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁମତି ମଳିବ। ପୁଣି ଏ ସଂଖ୍ୟା ମଧ୍ୟ କୌଣସି ପରିସ୍ଥିତିରେ ୧୦୦ ଟପି ପାରିବ ନାହିଁ ବୋଲି ଗାଇଡ୍ଲାଇନରେ ସ୍ପଷ୍ଟ କରିଦିଆ ଯାଇଛି। ଏବଂ ଏସବୁର କଡ଼ାକଡ଼ି ପାଳନକୁ ତଦାରଖ କରିବାକୁ ସଂପୃକ୍ତ ନିର୍ବାଚନୀ ମଣ୍ଡଳୀର ଦାୟିତ୍ୱରେ ଥିବା ଜିଲ୍ଲପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମପୀଠ

ସେହିପରି ସର୍ବସାଧାରଣଙ୍କ ଲାଗି ଧାର୍ମିକ ସ୍ଥଳ/ଉପାସନା ସ୍ଥଳ ବନ୍ଦ ରହିବ। ଏଥିସହ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ/ତାଲିମ/କୋଚିଙ୍ଗ୍ ପ୍ରତିଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦି ମଧ୍ୟ ଅକ୍ଟୋବର ମାସ ସାରା ବନ୍ଦ ରହିବ। କିନ୍ତୁ, କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ କେତେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ପରୀକ୍ଷା ପରିଚାଳନା (ଶିକ୍ଷା ସମ୍ବନ୍ଧୀୟ, ପ୍ରତିଦ୍ବନ୍ଦ୍ବିତାମୂଳକ ଏବଂ ପ୍ରବେଶିକା ପରୀକ୍ଷା), ମୂଲ୍ୟାୟନ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟକଳାପକୁ ଅନୁମତି ରହିଛି।ତେବେ ଅନ୍ଲାଇନ୍/ଦୂରଶିକ୍ଷା ପାଇଁ ଅନୁମତି ରହିଛି ଏବଂ ଏହାକୁ ଉତ୍ସାହ ଦିଆଯିବ।

କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ଅନ୍ଲାଇନ୍ ଶିକ୍ଷା ପ୍ରଦାନ/ଟେଲି କାଉନ୍ସେଲିଙ୍ଗ୍ ନିମନ୍ତେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ/ଉଚ୍ଚ ଶିକ୍ଷା ବିଭାଗ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କୁ ସ୍କୁଲ୍କୁ ଡକାଇପାରନ୍ତି। କିନ୍ତୁ, ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଜାରି ‘ଏସ୍ଓପି’ ପାଳନ କରିବାକୁ ପଡ଼ିବ।ପିଏଚ୍ଡି ରିସର୍ଚ ସ୍କୋଲାର୍, ସ୍ନାତକତ୍ତୋର ଶିକ୍ଷାର୍ଥୀମାନେ ଟେକ୍ନିକାଲ୍ ଏବଂ ପ୍ରଫେସ୍ନାଲ୍ ପ୍ରୋଗ୍ରାମ୍ ଲାଗି ଆବଶ୍ୟକ କରୁଥିବା ପରୀକ୍ଷାଗାର ଓ ପରୀକ୍ଷାମୂଳକ କାର୍ଯ୍ୟ ଲାଗି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲିବ। ପରିସ୍ଥିତିର ମୂଲ୍ୟାୟନ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍-୧୯ ମାମଲା ପ୍ରତି ଦୃଷ୍ଟି ଦେଇ ଗୃହବ୍ୟାପାର ମନ୍ତ୍ରାଳୟଙ୍କ ପରାମର୍ଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ଏଥିପାଇଁ ଅନୁମତି ଦେଇପାରିବ। ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମତି ବିନା ଯାତ୍ରୀମାନେ ବିଦେଶଯାତ୍ରା କରିପାରିବେ ନାହିଁ।