ଇଣ୍ଡିଆନ୍ ସାଇକି ସୋସାଇଟିର ସର୍ଭେ ରିପୋର୍ଟ
ଭୁବନେଶ୍ୱର,(ଏସ୍ଏନ୍ୟୁଜ):ଦେଶରେ ଲକ୍ଡାଉନ୍ ହେବା ପରଠାରୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ବଢିଛି ଯୁବ ଗୋଷ୍ଠୀ ଓ ଛାତ୍ରୀଛାତ୍ରୀଙ୍କ ମାନସିକ ଅବସାଦ । ପ୍ରତି ପାଞ୍ଚ ଜଣରେ ଜଣେ ବା ୨୦ ପ୍ରତିଶତ ଲୋକଙ୍କ ମାନସିକ ସମସ୍ୟା ବଢ଼ିଛି ବା ସେମାନେ ଷ୍ଟ୍ରେସରେ ଅଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି । କରୋନା ବଢାଉଛି ମାନସିକ ଅବସାଦ ।ମାର୍ଚ୍ଚ ମାସରୁ ଦେଶରେ ଲକଡାଉନ ହେବା ପରଠାରୁ ସବୁ ବର୍ଗରେ ଲୋକଙ୍କ ମଧ୍ୟରେ ଏମିତି ଅନେକ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ କରି ଯୁବ ଗୋଷ୍ଠୀ ଓ ଛାତ୍ରୀଛାତ୍ରୀ ପ୍ରଭାବିତ ହୋଇଛନ୍ତି । ସାମାଜିକ ଦୂରତା ଓ ସଙ୍ଗରୋଧ କରୋନା ପାଇଁ ପ୍ରତିବନ୍ଧକ ସାଜିଥିବା ବେଳେ ମନୁଷ୍ୟ ସମାଜ ପାଇଁ ଏକ ମାନସିକ ଯନ୍ତ୍ରଣା ଆଣିଦେଇଛି । ଏନେଇ ଏକ ସର୍ଭେ କରାଯାଇଛି । ଏଥିରେ ଜଣାପଡିଛି ଯେ, ଲକଡାଉନ ହେବା ପରଠାରୁ ପ୍ରତି ପାଞ୍ଚ ଜଣରେ ଜଣେ ବା ୨୦ ପ୍ରତିଶତ ଲୋକଙ୍କ ମାନସିକ ସମସ୍ୟା ବଢିଛି ବା ସେମାନେ ଷ୍ଟ୍ରେସରେ ଅଛନ୍ତି । ଇଣ୍ଡିଆନ ସାଇକି ସୋସାଇଟି ପକ୍ଷରୁ ଏହି ସର୍ଭେ କରାଯାଇଛି ।

ତେବେ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଏଥିରେ ଭିନ୍ନ ଧରଣ ମାନସିକ ପ୍ରବୃତି ଦେଖାଯାଇଛି ।୭୫ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ବିଭିନ୍ନ ପ୍ରକାର ଚାପ, ଅନିଦ୍ରା ଏବଂ ଅସାମାନ୍ୟ ଶାରୀରିକ ଲକ୍ଷଣ ଭିତରେ ରହିଛନ୍ତି । ବିଶେଷ କରି ଲକଡାଉନ ହେବା ପରଠାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲକଡାଉନ ହେବା ପୂର୍ବରୁ ସାରା ଦେଶରେ ଲୋକଙ୍କ ଜୀବନରେ ସବୁ କିଛି ସାମାନ୍ୟ ଥିଲା । ହେଲେ ଲକଡାଉନ ଏକ ବିରାଟ ପରିବର୍ତ୍ତନ ଆଣିଦେଇଛି । ଛୋଟ ପିଲା ମାନେ ସ୍କୁଲ ଯାଉଥିଲେ, ସାଙ୍ଗ ସାଥୀଙ୍କ ବହୁ ମଜାରେ ଦିନ କାଟୁଥିଲେ । କିନ୍ତୁ ଏବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଠ ପଢାଯାଉଥିବା ବେଳେ ସାଙ୍ଗସାଥୀଙ୍କ ସହ ଦେଖା ହଉନଥିବା ସେମାନେ ଏକ ପ୍ରକାର ଚାପରେ ମଧ୍ୟ ରହୁଥିବା ସର୍ଭେରୁ ଜଣାପଡିଛି । କଲେଜ ପଢୁଆଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଅନଲାଇନ ପଢିବା ସହ ସୋସିଆଲ ମିଡିଆ ସମୟ ଅତିବାହିତ ହେଉଛି । ଯାହା ସେମାନଙ୍କ ପାଇଁ ଏକ ପ୍ରକାର ମାନସିକ ସମସ୍ୟା ଆଣିଦେଇଛି । ଚାକିରିଆଙ୍କ କ୍ଷେତ୍ରରେ ଲକଡାଉନ ବିରାଟ ପରିବର୍ତ୍ତନ ଆଣିଛି । ଓ୍ୱାର୍କ ଫର୍ମ ହୋମର ଅଭ୍ୟାସ ନଥିବା ଲୋକଙ୍କ ପାଇଁ ଚାକିରି କରିବା ଓ ରୋଜଗାର କରିବା ଅନେକ କଷ୍ଟସାଧ୍ୟ ପାଲଟିଛି । ଯାହା ଲୋକଙ୍କୁ ମାନସିକ ବିକାରଗ୍ରସ୍ତ କରିଦେଇଛି ।