ଦିଲ୍ଲୀ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୨୯ ନିଖୋଜ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟେସନ ନିକଟ ଏକ କୋଠାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଶନିବାର କୁଲିଂ ଅପରେସନ ସମୟରେ ଆଉ ତିନିଟି ମୃତଦେହ ମିଳିଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି। ଅନ୍ୟପଟେ କୋଠା ମଧ୍ୟରେ କାର୍ଯ୍ୟ କରୁଥିବା ୨୯ଜଣ ଶ୍ରମିକ ନିଖୋଜ ଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତିଙ୍କ ମୃତଦେହଗୁଡିକ ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଇଛି।

ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ ନିଆଁ ଲାଗିଥିବା କୋଠାର ଆପତ୍ତିବିହୀନ ପ୍ରମାଣପତ୍ର (ଏନଓସି) ନଥିଲା। ଏପରିକି କୋଠାରେ କମ୍ପାନୀ କାର୍ଯ୍ୟାଳୟ ଚଳାଇବା ଲାଗି ପୌର ନିଗମର ଅନୁମତି ପତ୍ର ନଥିଲା। ଅଧିକାଂଶ ମୃତଦେହ କୋଠାର ଦ୍ବିତୀୟ ମହଲାରୁ ଉଦ୍ଧାର କରାଯାଇଛି। ଅପରାହ୍ଣ ୪ଟା ୪୦ରେ ନିଆଁ ଲାଗିବା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ୫ରୁ ୧୦ମିନିଟ୍ ମଧ୍ୟରେ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବା ସହିତ ମୃତକଙ୍କ ପରିବାର ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ୨ଲକ୍ଷ ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ। ପୁଲିସ ଆଇପିସି ଧାରା ୩୦୪-ଏ (ଅବହେଳା ଜନିତ ମୃତ୍ୟୁ), ୩୦୮ (ଉଦ୍ଦେଶ୍ୟ ରହିତ ହତ୍ୟା), ୧୨୦ ବି (ଫୌଜଦାରୀ ଷଡଯନ୍ତ୍ର) ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୋଠାରେ କାର୍ଯ୍ୟ କରୁଥିବା ଦୁଇଟି କମ୍ପାନୀର ମାଲିକ ହରିଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.