ବ୍ୟାପିବାରେ ଲାଗିଛି ବିରଳ ରୋଗ ‘ମଙ୍କିପକ୍ସ’

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ହୋଇଛି ଏକ ବିରଳ ରୋଗ ମଙ୍କିପକ୍ସ । ସର୍ବ ପ୍ରଥମେ ମାଙ୍କଡ଼ ଠାରେ ଏହି ଭୂତାଣୁ ଦେଖିବାକୁ  ମିଳିଥିବାରୁ ଏହା ‘ମଙ୍କିପକ୍ସ’ରେ ନାମିତ ହୋଇଛି । ଏହା ଏକ ବିରଳ ଭୂତାଣୁଜନିତ ରୋଗ । ଜଣେ ଅନ୍ୟ ଜଣଙ୍କ ସହ ଘନିଷ୍ଠ ଭାବେ ମିଳାମିଶା କଲେ ଏହି ରୋଗ ବୃଦ୍ଧି ପାଇଥାଏ ବୋଲି ଜଣା ପଡ଼ିଛି । ଏଥିରେ ସଂକ୍ରମିତଜଣକ ଗୁରୁତର ଭାବେ ଅସୁସ୍ଥ ହୋଇଯିବା ସହ ମୃତ୍ୟୁ ଆଶଙ୍କା ଥିବାର ଦେଖିବାକୁ ମିଳିଛି । ବ୍ରିଟେନରେ ଏ ରୋଗ ଚିହ୍ନଟ ହେବା ପରେ ବ୍ରିଟେନ ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।

ମଙ୍କିପକ୍ସ ଚିହ୍ନଟ ସଂକ୍ରମିତ ଜଣକ ଲଣ୍ତନର ବୋଲି ସୂଚନା । ସେ ବର୍ତ୍ତମାନ ଲଣ୍ତନର ସେଣ୍ଟ ଥୋମାସ ନ୍ୟାସନାଲ ହେଲ୍‌ଥ ସର୍ଭିସେସରେ ଚିକିତ୍ସାଧିନ । ତାଙ୍କୁ ଏକାନ୍ତବାସରେ ରଖାଯାଇ ଚିକିତ୍ସା କରଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କ ସହ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେ ବିଷୟରେ ଅନୁସନ୍ଧାନ ଚାଲିଛି । ସେ ନାଇଜେରିଆ ଫେରନ୍ତା ଜଣା ପଡ଼ିବା ପରେ ଉକ୍ତ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ସମ୍ପର୍କରେ ବ୍ରିଟେନ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ସଂଗ୍ରହ କରୁଛି । ତେବେ ସ୍ବାସ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମଙ୍କିପକ୍ସର ଭୂତାଣୁ କାଶ, ଛିଙ୍କ, କଫ ଆଦି ଜରିଆରେ ବ୍ୟାପୁଛି । ଏହା ଲୋକଙ୍କର ଆଖି, ନାକ, ପାଟି ଓ ଚର୍ମ ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରୁଛି । ପ୍ରଥମ ମଙ୍କିପକ୍ସ ରୋଗ 1970 ମସିହା କଙ୍ଗୋରେ ଚିହ୍ନଟ କରା ଯାଇଥିଲା ।

ତା’ପରଠୁ ଏହା କେନ୍ଦ୍ର ଆଫ୍ରିକୀୟ ରାଷ୍ଟ୍ରରେ ବିଶେଷ ଭାବେ ଦେଖିବାକୁ ମିଳିଛି । କଙ୍ଗୋରେ ଏହି ରୋଗରେ ଆକ୍ରାନ୍ତ ସର୍ବାଧିକ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଆମେରିକା, ସିଙ୍ଗାପୁର, ବ୍ରିଟେନ, ଇସ୍ରାଏଲ ପରି ଦେଶରେ ମଧ୍ୟ ମଙ୍କିପକ୍ସ କାୟା ବିସ୍ତାର କରିବାରେ ଲାଗିଛି । ଆଫ୍ରିକୀୟ ରାଷ୍ଟ୍ର ଗସ୍ତ କରୁଥିବା ଲୋକଙ୍କ ଦ୍ବାରା ମଙ୍କିପକ୍ସ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.