ଦେଶବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ୍ ଆଲର୍ଟ

ନୂଆଦିଲ୍ଲୀ : ବିଗତ କିଛିଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପରିଲକ୍ଷିତ ହେଉଛି । ଏକାଧିକ ସହରରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଅନ୍ୟ ରାଜ୍ୟଗୁଡିକ ହେଲା ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶ । ଏହାବ୍ୟତୀତ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ଗୁଜରାଟ ଓ ପଶ୍ଚିମବଙ୍ଗର ଆଭ୍ୟନ୍ତରୀଣ ଗାଙ୍ଗେୟ ଉପତ୍ୟକାର କେତେକ ସ୍ଥାନରେ ମଧ୍ୟ ତାପମାତ୍ରା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ଜଣାପଡିଛି ।

ପ୍ରଚଣ୍ଡ ତାପମାତ୍ରା ଦିନକୁ ଦିନ ଅସହ୍ୟ ହୋଇପଡୁଥିବାରୁ ଏହି ରାଜ୍ୟଗୁଡିକରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଓ ଏୟାର କୁଲର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଛି । ତେଣୁ ରାଜସ୍ଥାନ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ସରକାର ନିଜ ରାଜ୍ୟରେ ବିଦ୍ୟୁତ୍ କାଟ୍ ଲାଗୁ କରିସାରିଛନ୍ତି । ଅପରପକ୍ଷରେ ଜଳାଭାବ ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି । ବିଶେଷକରି ଉତ୍ତର ଭାରତର ଗହମ ଚାଷୀ ଏଥିରେ କ୍ଷତିଗ୍ରସ୍ତ ହେଉଥିବା କୁହାଯାଇଛି । ପଶ୍ଚିମାଞ୍ଚଳରେ ପାଣିପାଗର ପରିବର୍ତ୍ତନ ଘଟିଲେ, ମେ’ ୨ରୁ ସ୍ଥିତିରେ କିଛିଟା ଉନ୍ନତି ଘଟିବ ବୋଲି ଆଶା କରାଯାଉଛି । ମେ’ ୨ରୁ ୪ ପର୍ଯ୍ୟନ୍ତ ୱେଷ୍ଟର୍ଣ୍ଣ ହିମାଳୟ ଅଞ୍ଚଳରେ ସାମାନ୍ୟ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

Leave A Reply

Your email address will not be published.