ବ୍ୟାଡମିଣ୍ଟନ୍ ଏସିଆ ଚାମ୍ପିଅନଶିପ୍: ଆଗକୁ ବଢ଼ିଲେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ

ମାନିଲା : ଅଲିମ୍ପିକ୍ ମେଡାଲିଷ୍ଟ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ୍ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍‌ରେ ବୁଧବାର ନିଜ ନିଜର ପ୍ରଥମ ମ୍ୟାଚ୍‌ରେ କଷ୍ଟକର ବିଜୟ ହାସଲ କରିଛନ୍ତି । ସେହିପରି କିଦାମ୍ବୀ ଶ୍ରୀକାନ୍ତ ମଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ତେବେ ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନା ଓ ବି ସାଇ ପ୍ରଣୀତ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି ।

ମହିଳା ସିଙ୍ଗଲ୍ସର ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଦୁଇଥରର ଅଲିମ୍ପିକ୍ ମେଡାଲିଷ୍ଟ୍ ସିନ୍ଧୁଙ୍କ ଚୀନା ତାଇପେଇ ପ୍ରତିଦ୍ୱନ୍ଦ୍ୱୀ ପାଇ ୟୁ ପୋ’ଙ୍କ ବିପକ୍ଷରେ ସଂଘର୍ଷ କରିବାକୁ ପଡ଼ିଥିଲା । ପ୍ରଥମ ଗେମ୍ ହାରିବା ପରେ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ଏକ ଘଣ୍ଟା ୧୭ ମିନିଟ୍‌ର ମାରାଥନ୍ ମ୍ୟାଚ୍‌ରେ ୧୮-୨୧, ୨୭-୨୫ ଓ ୨୧-୯ରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ ସିଙ୍ଗାପୁରର ୟୁଏ ୟାନ୍ ଜାସ୍‌ଲିନ୍ ହୁଇଙ୍କୁ ଭେଟିବେ । ମହିଳା ସିଙ୍ଗଲ୍ସରେ ଅନ୍ୟ ଭାରତୀୟଙ୍କ ମଧ୍ୟରୁ ମାଳବିକା ବନ୍‌ସୋଡ୍ ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସିଙ୍ଗାପୁରର ୟେଓ ଜିଆ ମିନ୍‌ଙ୍କଠାରୁ ୯-୨୧, ୨୧-୧୭, ୨୬-୨୪ରେ ପରାଜିତ ହୋଇଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ଆକର୍ଷଣୀ କଶ୍ୟପ ମଧ୍ୟ ଟପ୍ ସିଡ୍ ଜାପାନର ଅକାନେ ୟାମାଗୁଚିଙ୍କଠାରୁ ୨୧-୧୫, ୨୧-୯ରେ ପରାସ୍ତ ହୋଇଛନ୍ତି । ଅଶ୍ୱିନୀ ଭଟ୍ ଓ ଶିକ୍‌ଗା ଗୌତମ ଏବଂ ସିମ୍‌ରନ୍ ସିଙ୍ଘି ଓ ଋତିକା ଥାକ୍‌ରେଙ୍କ ଉଭୟ ମହିଳା ଡବଲ୍ସ ଯୋଡ଼ି ମଧ୍ୟ ପ୍ରଥମ ରାଉଣ୍ଡ୍‌ରେ ହାରି ବିଦାୟ ନେଇଛନ୍ତି ।

Leave A Reply

Your email address will not be published.