ରୁଷ୍ର ସର୍ବବୃହତ୍ ଯୁଦ୍ଧ ଜାହାଜ ମସ୍କଭା କ୍ଷତିଗ୍ରସ୍ତ

ୱାଶିଂଟନ୍‌ : କୃଷ୍ଣ ସାଗରରେ ଶୁତ୍ରୁ ଉପରେ ନଜର ରଖିବା ପାଇଁ ମୁତୟନ କ୍ରୁଜ୍ ମିଶାଇଲ୍ ସଜ୍ଜିତ ରୁଷ୍‌ର ସର୍ବବୃହତ୍ ଯୁଦ୍ଧ ଜାହାଜ ମସ୍କଭା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ସନ୍ଧ୍ୟାରେ ଏହା ସ୍ପଷ୍ଟ କରିବା ସହ ସେଥିରେ ଥିôବା ସମସ୍ତ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି କହିଛି । ଜାହାଜରେ ଥିବା ଗୋଳାବାରୁଦରେ ନିଆଁ ଲାଗିଯିବା ଫଳରେ ଏହା ଘଟିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ୍ ସେନାର ଆଣ୍ଟି-ଶିପ୍ କ୍ରୁଜ୍ ମିସାଇଲ୍ ‘ନେପ୍‌ଚୁନ୍‌’ ମାଡ଼ରେ ମସ୍କଭା ଧ୍ୱଂସ ପାଇଥିବା ୟୁକ୍ରେନ୍ ପକ୍ଷରୁ ଦାବି କରାଯାଇଛି ।

ସ୍ୱତନ୍ତ୍ର ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇ ନାହିଁ । ମସ୍କଭା ବିଧ୍ୱଂସକ ଯୁଦ୍ଧଜାହାଜ ଶ୍ରେଣୀରେ ଆସିଥାଏ । ୬୦୦ ଫୁଟ୍ ଲମ୍ବ ଏବଂ ୧୨,୫୦୦ ଟନ୍ ଓଜନର ଏହି ଜାହାଜର ୭୦୦ କିମି ରେଞ୍ଜ୍ ବିଶିଷ୍ଟ ୧୫ ଆଣ୍ଟି-ଶିପ୍ ଭଲ୍‌କାନ୍ କ୍ରୁଜ୍ ମିସାଇଲ୍ ବହନ କ୍ଷମତା ରହିଛି । ଏହା ବ୍ୟତୀତ ଏହି ଯୁଦ୍ଧଜାହାଜ ଆଣ୍ଟି-ସବ୍‌ମେରିନ୍ ଓ ମାଇନ୍‌-ଟର୍ପେଡୋ ଅସ୍ତ୍ରଶସ୍ତ୍ରରେ ମଧ୍ୟ ସଜ୍ଜିତ । ଏହାର ତ୍ରିସ୍ତରୀୟ ଏୟାର୍ ଡିଫେନ୍ସ ସିଷ୍ଟମ୍ ଜରିଆରେ ମସ୍କଭା ନିଜକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାରେ ସକ୍ଷମ । ପ୍ରାୟ ୫୦୦ କ୍ରୁ ମେମ୍ବର କ୍ଷମତାର ଏହି ଯୁଦ୍ଧଜାହାଜକୁ ପ୍ରଥମଥର ୧୯୮୦ରେ କମିଶନ୍ କରାଯାଇଥିଲା । ମସ୍କଭା ମାଧ୍ୟମରେ ରୁଷ୍ ସେନାର ଗାଇଡେଡ୍ କ୍ରୁଜ୍ ମିସାଇଲ୍ ପ୍ରକ୍ଷେପଣ କ୍ଷମତା ବହୁଗୁଣରେ ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.