ବଲିଉଡ ଅଭିନେତ୍ରୀ ସୋନମଙ୍କ ଘରୁ ଚୋରୀ: ଦମ୍ପତି ଗିରଫ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଦିଲ୍ଲୀ ସ୍ଥିତ ଶ୍ୱଶୁର ଘରୁ ଚୋରି ହେବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଅପର୍ଣ୍ଣା ରୁଥ ୱିଲସନା, ସୋନମଙ୍କ ଶାଶୁଙ୍କ ଦେଖାଶୁଣା କରିବା ପାଇଁ ତାଙ୍କ ଘରେ ରହି କାମ କରୁଥିଲେ । । ତାଙ୍କ ସ୍ୱାମୀ ନରେଶ କୁମାର ସାଗର ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ନର୍ସ ଜଣଙ୍କ ସୋନମଙ୍କର ଦିଲ୍ଲୀର ଅମ୍ରିତା ଶେର୍ଗୀଲ ମାର୍ଗ ସ୍ଥିତ ଘରୁ ୨.୪ କୋଟି କ୍ୟାସ୍ ଓ ସୁନାଗହଣା ଚୋରି କରିଥିବାର ଅଭିଯୋଗ ହୋଇଛି।

ତାଙ୍କ ସହିତ ତାଙ୍କ ସ୍ୱାମୀ ଏହି କାର୍ୟ୍ୟରେ ଲିପ୍ତ ଥିବା ସନ୍ଦେହ କରି ପୁଲିସ ତାକୁ ମଧ୍ୟ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ପୁଲିସ ଉଭୟଙ୍କ ଗିରଫ କରିଥିବା ସୂଚନା ମିଳିଛି। ପିଟିଆଇରେ ପ୍ରକାଶିତ ଖବର ଅନୁସାରେ “ଦିଲ୍ଲୀ ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍ ଓ ସ୍ପେଶାଲ୍ ଷ୍ଟାଫ୍ ବ୍ରାଞ୍ଚର ଏକ ଟିମ୍ ମିଳିତ ଭାବେ ମଙ୍ଗଳବାର ରାତିରେ ସରୀତା ବିହାରରେ ରେଡ୍ କରିଥିଲେ। ଏଥିରେ ଅପର୍ଣ୍ଣା ଓ ତାଙ୍କ ସ୍ୱାମୀ ନରେଶ କୁମାର ଶାଗର ଧରାପଡ଼ିଥିଲେ।” ତେବେ ଚୋରି ହୋଇଥିବା ସୁନା ଗହଣା କି ଟଙ୍କା ଏପର୍ୟ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାମୁତାବକ ଫେବ୍ରୁଆରୀ ୧୧ ତାରିଖରେ ସୋନମଙ୍କ ଘରୁ ଚୋରି ହୋଇଥିଲା। ଏହାପରେ ଫେବ୍ରୁଆରୀ ୨୩ ତାରିଖରେ ଦିଲ୍ଲୀର ତୋଗଲକ ରୋଡ୍‌ ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିଲା। ସୋନମଙ୍କ ହାଉସ୍ ମ୍ୟାନେଜ୍‌ର ଏହି ମାମଲା ରୁଜୁ କରିଥିଲେ। ଖବର ଅନୁସାରେ ସୋନମଙ୍କ ଘରେ ୨୦ ଜଣ ଲୋକ କାମ କରନ୍ତି। ଏମାନଙ୍କୁ ମଧ୍ୟରୁ ଅଧିକାଂଶଙ୍କୁ ପୁଲିସ ମାମଲାରେ ପଚାରଉଚରା କରିସାରିଲାଣି। ବର୍ତ୍ତମାନ ଅଧିକ ତଦନ୍ତ ପାଇଁ ନୂଆ ଦିଲ୍ଲୀ ଜିଲ୍ଲାର ସ୍ୱତନ୍ତ୍ର ଷ୍ଟାଫ୍ ବ୍ରାଞ୍ଚକୁ ଏହି ମାମଲା ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.