ବିବାହ ବନ୍ଧନରେ ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ : ପାକିସ୍ତାନୀ ଆକ୍ଟିଭିଷ୍ଟ୍ ତଥା ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜାଇ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ମଲାଲା ଏହି ଖୁସିଖବର ଦେଇଛନ୍ତି । ସମାଜର ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ମଲାଲା ଅସର୍ ନାମକ ଜଣେ ଯୁବକଙ୍କୁ ବିବାହ କରିଛନ୍ତି ଏବଂ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଟ୍ୱିଟର୍‌ରେ ସେ ବିବାହ ସମୟର କେତେକ ଫଟୋ ପୋଷ୍ଟ୍ କରି ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଆଜିର ଦିନ ମୋ ଜୀବନର ଏକ ମୂଲ୍ୟବାନ ଦିନ । ଅସର୍ ଏବଂ ମୁଁ ସାରା ଜୀବନ ଭାଗୀଦାରୀ ହେବା ନିମନ୍ତେ ବିବାହ ବନ୍ଧନରେ ଆବଦ୍ଧ ହୋଇଛୁ । ବର୍ମିଂହାମ୍‌ରେ ଉଭୟ ପରିବାରଙ୍କ ଉପସ୍ଥିତିରେ ଏକ ନିରାଡ଼ମ୍ବର ବିବାହ ଉତ୍ସବର ଆୟୋଜନ କରିଥିଲୁ । ଆମକୁ ଆପଣମାନଙ୍କ ଶୁଭକାମନାର ଆବଶ୍ୟକତା ରହିଛି । ଭବିଷ୍ୟତର ଯାତ୍ରାରେ ଆମେ ଏକାଠି ଚାଲିବାକୁ ନେଇ ଉତ୍ସାହିତ ଅଛୁ ।’

ସର୍ବଦା ନିର୍ଭୀକ ଭାବେ ସାମାଜିକ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଆସିଥିବା ମଲାଲା ୨୦୧୨ରେ ବାଳିକା ଶିକ୍ଷା ସପକ୍ଷରେ ସ୍ୱର ଉଠାଇଥିଲେ । ଫଳରେ ତାଙ୍କୁ ତାଲିବାନର ଗୁଳିର ଶିକାର ହେବାକୁ ପଡ଼ିଥିଲା । ଅବଶ୍ୟ ନିଜ ସାହସ ବଳରେ ସେ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିଲେ । ମଲାଲା ନିକଟରେ ଆଫଗାନିସ୍ତାନରେ ତାଲିବାନୀ କ୍ରୂରତା ବିରୋଧରେ ମଧ୍ୟ ସ୍ୱରୋତ୍ତୋଳନ କରିଥିଲେ ।

Leave A Reply

Your email address will not be published.