ପାକିସ୍ତାନରେ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ଜଷ୍ଟିସ ଗୁଲ୍ଜାରଙ୍କ ନାମ ସୁପାରିସ କଲେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ପଦ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ତରଫରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଗୁଲ୍‌ଜାର ଅହମ୍ମଦଙ୍କ ନାମ ସୁପାରିସ କରାଯାଇଛି । ପାକିସ୍ତାନ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଯଦି ନ୍ୟାସନାଲ ଆସେମ୍ବ୍ଲିର ପୂର୍ଣ୍ଣକାଳୀନ ମିଆଦ ପୂରିଯାଇଥାଏ କିମ୍ବା ଏହାକୁ ଆଗୁଆ ଭଙ୍ଗ କରାଯାଏ, ତେବେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ଶାସନଭାର ସମ୍ଭାଳିଥାନ୍ତି ।

ବିଦାୟୀ ପ୍ରଧାନମନ୍ତ୍ରୀ ଏବଂ ଆସେମ୍ବ୍ଲିରେ ବିରୋଧୀ ଦଳ ନେତାଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି କାମଚଳା ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି । ରବିବାର ନ୍ୟାସନାଲ ଆସେମ୍ବ୍ଲିରେ ଇମ୍ରାନ୍‌ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟଗ୍ରହଣ କରାଯିବା ପୂର୍ବରୁ ଉପବାଚସ୍ପତି ଏହାକୁ ନାକଚ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଇମ୍ରାନଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ଅରିଫ୍ ଆଲ୍‌ଭି ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ ନିର୍ଦ୍ଦେଶ ଦେବାସହିତ ଆସନ୍ତା ୩ ମାସ ମଧ୍ୟରେ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଅପରପକ୍ଷରେ ବିରୋଧୀ ଦଳ ନେତା ଶାହବାଜ ସରିଫ୍ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ମନା କରିଦେଇଛନ୍ତି । ଫଳରେ ଇମ୍ରାନ୍‌ଙ୍କ ପକ୍ଷରୁ କାମଚଳା ପ୍ରଧାନମନ୍ତ୍ରୀ ପଦ ପାଇଁ ୨ ଜଣ ନାମ ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି । ଯଦି ସରିଫ୍ ଆଗାମୀ ସାତଦିନ ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମ ସୁପାରିସ ନ କରନ୍ତି, ତେବେ ଇମ୍ରାନ ଦେଇଥିବା ୨ଟି ନାମ ମଧ୍ୟରୁ ରାଷ୍ଟ୍ରପତି ଜଣଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ ବୋଲି ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.