ରୁଷ୍-ୟୁକ୍ରେନ୍ ଯୁଦ୍ଧ: ୟୁକ୍ରେନ୍ର ଆକ୍ରମଣ, ଅଏଲ୍ ଡିପୋ ଧ୍ୱଂସ

ମସ୍କୋ : ରୁଷ୍‌-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ୩୭ ଦିନ ହୋଇଛି । ଇତିମଧ୍ୟରେ ୟୁକ୍ରେନ୍ ହେଲିକପ୍ଟର୍ ତା’ ସୀମାରେ ପଶି ଆକ୍ରମଣ କରିଥିବା ରୁଷ୍ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଆକ୍ରମଣରେ ରୁଷ୍‌ର ବେଲ୍‌ଗୋରୋଡ୍ ସହରରେ ଏକ ଅଏଲ୍ ଡିପୋ ଧ୍ୱଂସ ହୋଇଯାଇଛି । ୟୁକ୍ରେନ୍ ହେଲିକପ୍ଟର ରୁଷ୍ ସୀମାର ୪୦ କିମି ଭିତରେ ଏହି କାର୍ଯ୍ୟାନୁଷ୍ଠାନ କରିଛି । ୟୁକ୍ରେନ୍‌ର ସଦ୍ୟତମ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ଜୋର୍‌ଦାର ଧକ୍କା ଲାଗିପାରେ । ତୁର୍କୀରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବେଳେ ୟୁକ୍ରେନ୍‌ରେ ନିଜର ସୈନ୍ୟ ଅଭିଯାନକୁ ମନ୍ଥର କରିବା ପାଇଁ ରୁଷ ସହମତ ହୋଇଥିଲା ।

ରୁଷ୍ ସହର ବୋଲ୍‌ଗୋରୋଡ୍‌ର ଗଭର୍ଣ୍ଣର୍ ବ୍ୟାଚେସ୍ଲାଭ୍ ଗ୍ଲାଡ୍‌କୋଭ୍ କହିଛନ୍ତି, କମ୍ ଉଚ୍ଚତାରେ ଉଡ଼ୁଥିବା ୟୁକ୍ରେନ୍‌ର ଦୁଇଟି ହେଲିକପ୍ଟର ସୀମା ପାର୍ କରିବା ପରେ ଏସ୍‌-୮ ରକେଟ୍ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବେଲ୍‌ଗୋରୋଡ୍‌ର ଅଏଲ୍ ଷ୍ଟୋରେଜ୍ ଫ୍ୟାସିଲିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଆକ୍ରମଣ ଯୋଗୁଁ ନିଆଁ ଲାଗିଯିବାରୁ ଦୁଇଜଣ କର୍ମଚରୀ ଆହତ ହୋଇଛନ୍ତି । ଏହି କାରଣରୁ ଆଖପାଖ ଅଞ୍ଚଳକୁ ଖାଲି କରିଦିଆଯାଇଛି ବୋଲି ଗର୍ଭର୍ଣ୍ଣର୍ କହିଛନ୍ତି । ସୋସିଆଲ୍ ମିଡିଆରେ ଶେୟାର୍ କରାଯାଇଥିବା ଭିଡିଓ ଅନୁସାରେ ସ୍ଥାନୀୟ ସମୟାନୁସାରେ ସକାଳ ୫ଟା ୪୩ ମିନିଟ୍ ସମୟରେ ଆକ୍ରମଣ କରାଯାଇଥିଲା । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ରୁଷ୍ ଓ ୟୁକ୍ରେନ୍ ଏକା ପ୍ରକାରର ହେଲିକପ୍ଟର ବ୍ୟବହାର କରୁଥିବାରୁ ନିର୍ଦ୍ଦିଷ୍ଟ ଭବେ ଦୁଇ ଦେଶର ହେଲିକପ୍ଟର ମଧ୍ୟରେ ଅନ୍ତର ଚିହ୍ନଟ କରିବା କଷ୍ଟକର ବ୍ୟାପାର ।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ୟୁକ୍ରେନ୍ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଯଦି ଏହା ସତ୍ୟ ହୋଇଥାଏ, ତେବେ ୟୁକ୍ରେନ୍ ସୀମା ପାର୍‌ହୋଇ ଆକ୍ରମଣ କରିବା ଏହା ଦ୍ୱିତୀୟ ଘଟଣା ହେବ । ଗତ ମାସରେ ମିଲରୋଭା ଏୟାର୍‌ବେସ୍ ଉପରେ ଆକ୍ରମଣ ପରେ ୟୁକ୍ରେନ୍ ସୀମା କରି ରୁଷ୍ ଅଞ୍ଚଳରେ ଆକ୍ରମଣ କରିଥିଲା । ଏହି ଆକ୍ରମଣକୁ ରୁଷ୍ ସେନାର ବିଫଳତା ବୋଲି କୁହାଯିବ । ରୁଷ ନିକଟରେ ବହୁ ସଂଖ୍ୟକ ଶକ୍ତିଶାଳୀ ଏୟାର୍ ଡିଫେନ୍ସ ରାଡାର ଓ ମିସାଇଲ୍ ରହିଥିବା ବେଳେ ସେଗୁଡ଼ିକର ବିଫଳତା ରାଷ୍ଟ୍ରପତି ପୁଟିନ୍‌ଙ୍କ ସୈନ୍ୟ ଅଭିଯାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.