ଇମ୍ରାନ୍ ଖାନ୍ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ, ୩୧ରେ ଭୋଟ୍

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସୋମବାର ନ୍ୟାସନାଲ ଆସେମ୍ବ୍ଲିରେ ଉପସ୍ଥାପନ କରାଯାଇଛି । ପିଏମଏଲ (ଏନ୍‌) ସଭାପତି ତଥା ବିରୋଧୀ ଦଳ ନେତା ଶାହବାଜ ସରିଫ୍ ଗୃହରେ ଏହି ପ୍ରସ୍ତାବ ଆଗତ କରିଥିଲେ । ଅପରପକ୍ଷରେ ଗୃହକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଉକ୍ତଦିନ ଏହି ପ୍ରସ୍ତାବ ଉପରେ ବିତର୍କ କରାଯିବା ସହ ଭୋଟଗ୍ରହଣ କରାଯିବ ବୋଲି ଉପବାଚସ୍ପତି ସୂଚନା ଦେଇଛନ୍ତି ।

ଇମ୍ରାନ୍‌ଙ୍କ ଶାସନକାଳରେ ଦେଶରେ ମୁଦ୍ରାସ୍ଫୀତି ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଏଥିପାଇଁ ଇମ୍ରାନ୍ ସରକାର ଦାୟୀ ବୋଲି ଅଭିଯୋଗ କରି ବିରୋଧୀ ଦଳଗୁଡିକ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏଥିପାଇଁ ଗତ ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୫ରେ ନ୍ୟାସନାଲ ଆସେମ୍ବ୍ଲିର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ତେବେ ପ୍ରଥମ ଦିନରେ କେତେକ ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାପରେ ଗୃହକୁ ୨୮ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଏହି ସଙ୍କଟରୁ ଇମ୍ରାନଙ୍କ ସରକାର ମୁକୁଳିବା କଷ୍ଟକର ହୋଇପଡିଛି । ଇତିମଧ୍ୟରେ ଇମ୍ରାନ୍ ସରକାରଙ୍କ ୩ଟି ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌-ପି, ପିଏମ୍‌ଏଲ-କ୍ୟୁ ଓ ବିଏପି ମେଣ୍ଟରୁ ଓହରିଯାଇ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବେ ବୋଲି ଘୋଷଣା କରିସାରିଛନ୍ତି। ୩୪୨ ସଦସ୍ୟ ବିଶିଷ୍ଟ ଗୃହରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେବାକୁ ୧୭୨ ସାଂସଦଙ୍କ ଭୋଟ୍ ଜରୁରୀ ।

Leave A Reply

Your email address will not be published.