ରୁଷ୍ ହରାଇଛି ୧୬,୬୦୦ ସୈନ୍ୟ, ୫୮୨ ଟ୍ୟାଙ୍କ୍ – ୟୁକ୍ରେନ୍

କିଏଭ୍‌ : ଫେବୃଆରୀ ୨୪ରୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିବାପରଠାରୁ ରୁଷ୍ ଏପର୍ଯ୍ୟନ୍ତ ନିଜର ୧୬,୬୦୦ ସୈନ୍ୟ ଓ ୫୮୨ଟି ଟ୍ୟାଙ୍କ୍ ହରାଇସାରିଛି ବୋଲି ୟୁକ୍ରେନ୍ ସରକାର ଦାବି କରିଛନ୍ତି । ସୂଚନାଯୋଗ୍ୟ ରୁଷ୍ ପକ୍ଷରୁ ଏହାକୁ ଯୁଦ୍ଧ ପରିବର୍ତ୍ତେ ସାମରିକ ଆକ୍ରମଣର ଆଖ୍ୟା ଦିଆଯାଉଥିବାବେଳେ ରୁଷ୍ କେବଳ ୧୩୫୧ ସୈନ୍ୟଙ୍କୁ ହରାଇଥିବା ସ୍ୱୀକାର କରୁଛି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍‌ର ସରକାରୀ ନ୍ୟୁଜ୍ ୱେବ୍‌ସାଇଟ୍ ‘ଦି କିଏଭ୍ ଇଣ୍ଡିପେଣ୍ଡେଣ୍ଟ‘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ରୁଷ୍ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ । ମାସାଧିକାଳ ଚାଲିଥିବା ଏହି ଯୁଦ୍ଧରେ ରୁଷ୍‌ର ୧୨୧ଟି ବିମାନ, ୧୨୭ଟି ହେଲିକପ୍ଟର ଓ ୧୬୬୪ଟି ସାଞ୍ଜୁଆ ଯାନକୁ ୟୁକ୍ରେନ୍ ସେନା ଧ୍ୱଂସ କରିଥିବା କୁହାଯାଇଛି ।

ଅପରପକ୍ଷରେ ଏହି ଯୁଦ୍ଧରେ ରୁଷ୍ ୭ରୁ ୧୫ ହଜାର ସୈନ୍ୟଙ୍କୁ ହରାଇଛି ବୋଲି ନାଟୋ ପକ୍ଷରୁ କୁହାଯାଇଛି । ଏହି ଯୁଦ୍ଧରେ ରୁଷ୍‌ର ୭ ଜଣ ବରିଷ୍ଠ ସାମରିକ ଜେନେରାଲ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ବରିଷ୍ଠ କମାଣ୍ଡରଙ୍କୁ ରୁଷ୍ ରାଷ୍ଟ୍ରପତି ପୁଟିନ୍ ବହିଷ୍କାର କରିଥିବା କୁହାଯାଇଛି । ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ରବିବାର ସୁଦ୍ଧା ୩୨ ଦିନରେ ପହଞ୍ଚିଥିବାବେଳେ ରୁଷ୍ ସେନା ୟୁକ୍ରେନ୍‌ର ଏଲଭିଭ୍ ସହରର ସାମରିକ ଘାଟି ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିଥିବା ଜଣାପଡିଛି । ଆକ୍ରମଣରେ ସହରରେ ଥିବା ଏକ ତୈଳ ଡିପୋ ଧ୍ୱଂସ ପାଇଥିବା କୁହାଯାଇଛି ।

Leave A Reply

Your email address will not be published.