ବିଳମ୍ବ ହୋଇପାରେ ଏଲ୍ଆଇସି ଆଇପିଓ

ନୂଆଦିଲ୍ଲୀ : ବିଳମ୍ବ ହୋଇପାରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁପ୍ରତୀକ୍ଷିତ ଆଇପିଓ । ସୂଚନା ଅନୁସାରେ ଏଲ୍‌ଆଇସି ନୂଆ ଭାବରେ ଆଇପିଓ ଦସ୍ତାବିଜ୍ (ଡିଆର୍‌ଏଚ୍‌ପି) ଦାଖଲ କରିଛି । ଏଲ୍‌ଆଇସି ଡିସେମ୍ବର ତ୍ରୟମାସିକ ଫଳାଫଳ ଆଧାରରେ ନୂଆ କରି ଦସ୍ତାବିଜ୍‌ ଦାଖଲ କରିଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପୂରୁଣା ଦସ୍ତାବିଜ୍ ଆଧାରରେ ଆଇପିଓ ପାଇଁ ମଞ୍ଜୁରୀ ମିଳିଥିଲା । ମଞ୍ଜୁରୀ ଅନୁସାରେ ୧୨, ମେ’ ସୁଦ୍ଧା ଆଇପିଓର ବଜାର ପ୍ରବେଶ ହେବା ଆବଶ୍ୟକ ଥିଲା । ସାମ୍ପ୍ରତିକ ପରିସ୍ଥିତିରେ ସରକାର ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି । ବିଶ୍ୱ ଦୃଶ୍ୟପଟ୍ଟରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ପରିବର୍ତ୍ତିତ ଭୁରାଜନୈତିକ ପରିସ୍ଥିତି ବିଶ୍ୱ ବଜାରକୁ ଅସ୍ଥିରତା କରିଛି । ଏହି ପରିସ୍ଥିତିରେ ସରକାର ଆଇପିଓ ଆଣିବାକୁ ଇଚ୍ଛାପ୍ରକଟ କରୁନାହାନ୍ତି ।

ଏଲ୍‌ଆଇସି ୧୩, ଫେବୃଆରୀକୁ ଆଇପିଓ ନେଇ ସେବି ନିକଟରେ ଦସ୍ତାବିଜ୍ ଦାଖଲ କରିଥିଲା । ଏଲ୍‌ଆଇସି ଆଇପିଓ ଦେଶ ଇତିହାସର ସର୍ବବୃହତ୍ ଆଇପିଓ ହେବାର ସମ୍ଭାବନା ରହିଛି । ଫଳରେ ଏହାକୁ ଉପଯୁକ୍ତ ସମୟରେ ବଜାର ପ୍ରବେଶ କରାଯିବା ଜରୁରୀ । ଆଇପିଓରେ ରିଟେଲ୍ ନିବେଶକଙ୍କ ପାଇଁ ୩୫% ସଂରକ୍ଷଣ ଯୋଗୁଁ ଅଧିକ ସଂଖ୍ୟକ ନିବେଶକ ଆକର୍ଷିତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) କହିଛି ।

Leave A Reply

Your email address will not be published.