ରୁଷ୍-ୟୁକ୍ରେନ୍ ଯୁଦ୍ଧ : ସ୍କୁଲରେ ବୋମାମାଡ଼, ୨୧ ମୃତ

କିଏଭ୍‌ : ରୁଷ୍‌-ୟୁକ୍ରେନ୍ ଯୁଦ୍ଧରେ ରୁଷର ଆକ୍ରମଣ ଅଭିଯାନକୁ ଅଧିକ ଜୋରଦାର କରିବାରେ ଲାଗିଛି । ଗୁରୁବାର ରୁଷ୍ ବିମାନଗୁଡିକ ୟୁକ୍ରେନ୍‌ର ମେରେଫା ସହରର ଏକ ସ୍କୁଲ ଉପରେ ପ୍ରବଳ ବୋମାମାଡ କରିବା ଫଳରେ ୨୧ ଜଣ ପ୍ରାଣ ହରାଇଛନ୍ତି । ଆହତ ଅନ୍ୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋମାମାଡରେ ସ୍କୁଲ ଓ ନିକଟରେ ଥିବା ଏକ ସାଂସ୍କୃତିକ କେନ୍ଦ୍ରର ବ୍ୟାପକ କ୍ଷୟକ୍ଷତି ଘଟିଛି । ରୁଷ୍ ପକ୍ଷରୁ ୟୁକ୍ରେନ୍‌ର ଅନ୍ୟ ଏକ ସହରରେ ଥିବା ଚର୍ଚ୍ଚ ଉପରେ ଆକ୍ରମଣ କରାଯାଇଛି । ସେହି ସମୟରେ ଉକ୍ତ ଚର୍ଚ୍ଚରେ ପ୍ରାୟ ୧୩୦ ଜଣ ୟୁକ୍ରେନ୍ ନାଗରିକ ଆଶ୍ରୟ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ପାଞ୍ଚଥର ଆଲୋଚନା ଅନୁଷ୍ଠିତ ହୋଇସାରିଥିଲେ ସୁଦ୍ଧା ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଉଭୟପକ୍ଷ ଯୁଦ୍ଧଭୂମିରୁ ଓହରି ଆସିବାକୁ ଆନ୍ତରିକଭାବେ ଚାହୁଁଥିଲେ ସୁଦ୍ଧା ନିଜ ନିଜର ଜିଦ୍ ଯୋଗୁଁ ଏହା ସମ୍ଭବପର ହୋଇପାରୁନଥିବା କୂଟନୈତିକ ମହଲ ଆକଳନ କରିଛନ୍ତି । ତେବେ ୟୁକ୍ରେନ୍ ଯଦି କେତେକ ସର୍ତ୍ତ ମାନିବ, ତାହାହେଲେ ରୁଷ୍ ପକ୍ଷରୁ ଯୁଦ୍ଧ ବନ୍ଦ ଡାକରା ଦିଆଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ୟୁକ୍ରେନ୍‌ର ସମ୍ବାଦପତ୍ର ‘କିଏଭ୍ ଇଣ୍ଡିପେଣ୍ଡେଣ୍ଟ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନାଟୋ ସଦସ୍ୟତା ଦୌଡରୁ ୟୁକ୍ରେନ୍ ଓହରିବା ସହ ନିଜର ସୈନ୍ୟ ସଂଖ୍ୟା ହ୍ରାସ କଲେ, ଯୁଦ୍ଧ ବନ୍ଦ କରାଯିବ ବୋଲି ରୁଷ୍ ସର୍ତ୍ତ ରଖିଛି । ତେବେ ୟୁକ୍ରେନ୍ ଏଭଳି ସର୍ତ୍ତକୁ ମାନିବାକୁ ପ୍ରସ୍ତୁନ ନଥିବା ଜଣାପଡିଛି । ୟୁକ୍ରେନ୍ କୌଣସି ପରିସ୍ଥିତିରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିନଥିବାବେଳେ ରୁଷ୍ ଅଯଥାରେ ଏଭଳି ଅଭିଯୋଗ ଆଣୁଛି ବୋଲି ରାଷ୍ଟ୍ରପତି ଜେଲେନ୍‌ସ୍କି ବାରମ୍ବାର କହିଆସୁଛନ୍ତି ।

Leave A Reply

Your email address will not be published.