ପୁଟିନ୍ ଜଣେ ଯୁଦ୍ଧ ଅପରାଧୀ: ବାଇଡେନ୍

ୱାଶିଂଟନ: ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଚଳାଇଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ ଆଖ୍ୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବୁଧବାର ୟୁକ୍ରେନ୍‌କୁ ୮୦୦ ନିୟୁତ ଡଲାର ସାମରିକ ସହାୟତା ଘୋଷଣା ଅବସରରେ ବାଇଡେନ୍ ଏହି ମନ୍ତବ୍ୟ ଦେଇଛନ୍ତି । ଏହି ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ୱର ଅଧିକାଂଶ ରାଷ୍ଟ୍ର ରୁଷ୍ ବିରୋଧୀ ହୋଇପଡିଥିବାରୁ ପୁଟିନ୍‌ଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ବାଇଡେନ୍ ସତର୍କ କରାଇଛନ୍ତି । ଅପରପକ୍ଷରେ ବାଇଡେନ୍‌ଙ୍କ ଏତାଦୃଶ ମନ୍ତବ୍ୟକୁ ରୁଷ୍ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି ।

କ୍ରେମ୍‌ଲିନ୍ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍ କହିଛନ୍ତି ଯେ ବାଇଡେନ୍‌ଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଅକ୍ଷମଣୀୟ ଏବଂ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହଁ । ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌‌ସ୍କି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିଥିବାବେଳେ ଅଧିକ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକା ଓ ୟୁରୋପୀୟ ସଂଘକୁ ଅନୁରୋଧ କରିଥିଲେ । ଏହି ଅବସରରେ ସେ ପର୍ଲ ହାର୍ବର, ୯/୧୧ ଅଲକାଏଦା ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆମେରିକାବାସୀ ଏହି ଲୋମହର୍ଷଣ ଘଟଣା ଭୁଲିନଥିବାବେଳେ ୟୁକ୍ରେନ୍‌ବାସୀ ବର୍ତ୍ତମାନ ପ୍ରତିଦିନ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଜେଲେନ୍‌ସ୍କି କହିଥିଲେ ।

Leave A Reply

Your email address will not be published.