ରୁଷ୍ ବାଇଡେନ ଓ ହିଲାରୀଙ୍କ ଉପରେ କଟକଣା ଲାଗୁ କଲା

କିଭ୍‍ : ୟୁକ୍ରେନ୍‍ ଉପରେ ଆକ୍ରମଣକୁ ନେଇ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ସଂଘ ପକ୍ଷରୁ ରୁଷ୍‍ ଉପରେ ବିପୁଳ କଟକଣା ଲାଗୁ କରାଯାଇଥିବାବେଳେ ତାହାର ପାଲଟା ଜବାବ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଯେସାକୁ ତେସା ନୀତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଦେଶର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ଏବଂ ଆମେରିକାର ଅନ୍ୟ ତୁଙ୍ଗ ଅଧିକାରୀଙ୍କ ବିରୋଧରେ ରୁଷୀୟ କଟକଣା ଲାଗିଛି। ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ୍‍ ତାହାର ପରମାଣୁ ଅସ୍ତ୍ର ବାହିନୀ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନୂଆ ଆଦେଶ ଦେବାପରେ ବିଶ୍ୱରେ ପରମାଣୁ ଯୁଦ୍ଧ ଆଶଙ୍କା ଘନିଭୂତ ହେବାରେ ଲାଗିଛି ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ କହିଛନ୍ତି। ନ୍ୟୁୟର୍କଠାରେ ସୋମବାର ଦିନ ସାମ୍ବାଦିକମାନଙ୍କୁ ଉଦ୍‍ବୋଧନ ଦେବା ଅବସରରେ ଜାତିସଂଘ ମହାସଚିବ କହିଥିଲେ ଯେ ରୁଷ ରାଷ୍ଟ୍ରପତି ନିଜର ପରମାଣୁ ଅସ୍ତ୍ରଗୁଡିକୁ ସଜାଗ ରଖିବା ଏବଂ ଉକ୍ତ ବାହିନୀକୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଆଦେଶ ଦେବା ଘଟଣା ଅତ୍ୟନ୍ତ ଭୟଙ୍କର ମନେହେଉଛି। ଏକଦା କେହି କଳ୍ପନା କରୁନଥିବା ପରମାଣୁ ଯୁଦ୍ଧ ବିଭୀଷିକା ଏବେ ବାସ୍ତବ ରୂପ ନେବାକୁ ଯାଉଛି।

ସେହିଦୃଷ୍ଟିରୁ ୟୁକ୍ରେନ ଅଧିବାସୀଙ୍କ କ୍ଷେତ୍ରରେ ଯେଉଁ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି ତାହା ତୁରନ୍ତ ବନ୍ଦହେବା ଏବଂ ଉଭୟ ପକ୍ଷ କୂଟନୈତିକ ଓ ଶାନ୍ତି ପଥ ଆପଣେଇବାର ଆବଶ୍ୟକତା ରହିଛି। ଜାତିସଂଘ ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି ଘଟାଇବା ସକାଶେ ସେ ଭାରତ, ଚୀନ, ଫ୍ରାନ୍ସ ଏବଂ ମଧ୍ୟସ୍ଥତା ଉଦ୍ୟମ କରୁଥିବା ଅନ୍ୟ ରାଷ୍ଟ୍ରଗୁଡିକ ସହିତ ବରାବର ସମ୍ପର୍କରେ ରହିଛନ୍ତି। ଇତିମଧ୍ୟରେ ରୁଷ୍‍ ପକ୍ଷରୁ ଆକ୍ରମଣକୁ ଜୋର୍‍ଦାର କରାଯିବା ଲକ୍ଷ୍ୟକରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍‍ ଜେଲେନ୍‍ସ୍କି ଦେଶରେ ସାମରିକ ଆଇନର ଅବଧି ଆଉ ଏକ ମାସ ବୃଦ୍ଧି କରିଛନ୍ତି। ସେ କହିଛନ୍ତି ଯେ ରୁଷ ଏକ ଅପରାଧୀ ରାଷ୍ଟ୍ର ଏବଂ ପୁଟିନ ଜଣେ ମିଥ୍ୟାବାଦୀ ଓ ପ୍ରତାରକ। ଯୁଦ୍ଧରେ ୟୁକ୍ରେନର ବିଜୟ ନିଶ୍ଚିତ ବୋଲି ସେ ଦୃଢତାର ସହିତ କହିଛନ୍ତି। ଅନ୍ୟପକ୍ଷରେ ଜାତିସଂଘ ଶରଣାର୍ଥୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ଲାଗିବା ପରେ ୟୁକ୍ରେନରୁ ପ୍ରାୟ ୩୦ ଲକ୍ଷ ଲୋକ ଅନ୍ୟତ୍ର ପଳାଇ ଯାଇସାରିଲେଣି। ଏପରିକି ପ୍ରତି ଏକ ମିନିଟ୍‍ରେ ୟୁକ୍ରେନର ଜଣେ ପିଲା ଶରଣାର୍ଥୀ ପାଲଟୁଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଏହା ସର୍ବବୃହତ ଶରଣାର୍ଥୀ ପଳାୟନ ହୋଇଛି। ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରୁଷ୍‍ ଇତିମଧ୍ୟରେ ୟୁକ୍ରେନ ଉପରେ ପ୍ରାୟ ୯୦୦ କ୍ଷେପଣାସ୍ତ୍ର ମାଡ କରିସାରିଲାଣି। ୟୁକ୍ରେନର ଏକାଧିକ ଜନବସତି ଅଞ୍ଚଳ ଉପରେ ରୁଷ୍‍ କ୍ଷେପଣାସ୍ତ୍ର ଓ ବୋମା ମାଡ କରିଚାଲିଛି। ଏଥିରେ ପ୍ରତି ଘଣ୍ଟାରେ ବହୁ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟୁଛି। ତେବେ ରୁଷ୍‍ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ମଙ୍ଗଳବାର ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି।

Leave A Reply

Your email address will not be published.