ସୋନିଆ ହିଁ ରହିବେ ଅଧ୍ୟକ୍ଷା

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୁରାତନ ଦଳ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ପାଇଁ କଂଗ୍ରେସ ବିରୋଧୀ ଜି୨୩ ଗ୍ରୁପ୍ ଦ୍ୱାରା ସ୍ୱର ଉତ୍ତୋଳନ ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ସାଢ଼େ ଚାରିଘଣ୍ଟିଆ ବୈଠକରେ କଂଗ୍ରେସର ପରାଜୟ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିôଲା । ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ପଦରେ ରହିବେ ବୋଲି ସର୍ବସମ୍ମତି କ୍ରମେ ନିର୍ଣ୍ଣୟ ନିଆଯାଇଥିଲା । ବୈଠକରେ ଉପସ୍ଥିତ ସମସ୍ତ ବରିଷ୍ଠ ସଦସ୍ୟ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆସ୍ଥାପ୍ରକଟ କରିଥିଲେ । କଂଗ୍ରେସ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ଅନ୍ୟ ବିଧାନସଭା ନିର୍ବଚାନ ପାଇଁ ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ୍ ରହିଛି ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଲଢ଼ିବ ବୋଲି ବୈଠକ ଶେଷରେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଦଳର ସବୁ ନେତାଙ୍କ ଭରସା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ।

ବୈଠକରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଓ ଦିଗ୍‌ବିଜୟ ସିଂହ ସମେତ ଅନ୍ୟ ନେତାମାନେ ବିଧାନସଭା ନିର୍ବଚାନରେ ଦଳର ପରାଜୟ ନେଇ କେଉଁଠି ଭୁଲ ରହିଲା ସେ ନେଇ ମାନସମନ୍ଥନ କରିବା ଜରୁରୀ ବୋଲି କହିଥିଲେ । ବିଜେପି ନିର୍ବାଚନ ସମୟରେ ହିନ୍ଦୁ-ମୁସ୍‌ଲିମ୍ ପ୍ରସଙ୍ଗକୁ ଆଗକୁ ଆଣୁଛି । ଦରଦାମ୍ ବୃଦ୍ଧି ଓ ବେକାରି ଆଦି ପ୍ରମୁଖ ପ୍ରସଙ୍ଗ ପଛରେ ରହିଯାଉଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବୈଠକ ପୂର୍ବରୁ କହିବା ସହିତ ରାହୁଲ ଗାନ୍ଧୀ ଦଳର ନେତୃତ୍ୱ ନେବାକୁ ଆଗେଇ ଆସନ୍ତୁ ବୋଲି କହିଥିଲେ । ପୂର୍ବରୁ ଅଧ୍ୟକ୍ଷ ପରିବର୍ତ୍ତନ ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଖଣ୍ଡନ କରିଥିଲେ ରଣଦୀପ ସୁରଜୱାଲା । ବୈଠକରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସମସ୍ତ ସଦସ୍ୟ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ । ବିଦ୍ରୋହୀ ଜି୨୩ ଗ୍ରୁପ୍‌ର ଗୁଲାମ ନବୀ ଆଜାଦ ତଥା ଆନନ୍ଦ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ସଂସଦର ବଜେଟ୍ ଅଧିବେଶନ ସମ୍ପନ୍ନ ହେବା ପରେ ଦଳର ଚିନ୍ତନ ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.