ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ୟୁକ୍ରେନ୍‌ର ଭିତ୍ତିଭୂମି କ୍ଷତି ୧୦ ବିଲିୟନ ଡଲାର

କିଭ୍‌: ଦୀର୍ଘ ଦୁଇ ସପ୍ତାହର ଯୁଦ୍ଧରେ ଦୋହଲିଯାଇଛି ୟୁକ୍ରେନ୍‌ର ଭିତ୍ତିଭୂମି । ୧୦ ବିଲିୟନ୍‌ ଡଲାର ମୂଲ୍ୟର କ୍ଷତି ହୋଇଛି। ବହୁ ସରକାରୀ ଓ ବେସରକାରୀ ଅଟ୍ଟାଳିକା, କଳକାରଖାନା, କ୍ରୀଡ଼ାଙ୍ଗନ, ଶିକ୍ଷାନୁଷ୍ଠାନ ଆଦି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଏହି କ୍ଷତି ଭରଣା କରିବା ଏବଂ ଭୁଶୁଡ଼ି ପଡ଼ିଥିବା ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେତେ ବର୍ଷ ଲାଗିବ ତାହା ଏବେ କଳ୍ପନା କରିହେଉ ନାହିଁ।

ୟୁକ୍ରେନ୍‌ର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଓଲେକ୍‌ଜାଣ୍ଡର କୁବ୍ରାକୋଭ କହିଛନ୍ତି ଯେ କେତେଗୁଡ଼ିଏକୁ ବର୍ଷକ ମଧ୍ୟରେ ମରାମତି କରାଯାଇପାରେ; କିନ୍ତୁ ଆହୁରି ଅନେକ ରହିଛି ଯାହା ବର୍ଷ ବର୍ଷ ଲାଗିଯିବ। ବିଭିନ୍ନ ସହରରୁ ଖାଲି କରାଯାଇଥିବା ଲୋକଙ୍କୁ କେମିତି ଶୀଘ୍ର ସେମାନଙ୍କ ଘରକୁ ଫେରାଇ ଅଣାଯାଇପାରିବ ତାହା ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ବୋଲି ସେ କହିଛନ୍ତି। କେବଳ ଖାର୍କିଭ୍‌ରୁ ୪୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପକ୍ଷରୁ ୟୁକ୍ରେନ୍‌ର ନିବେଦନକ୍ରମେ ୧.୪ ବିଲିୟନ ଡଲାର ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ଏକରକମ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.