ମୋଦୀଙ୍କ ମିଶନ୍ ଗୁଜରାଟ

ଅହମ୍ମଦାବାଦ : ବିଜେପି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ରୋଡ୍ ଶୋ’ରେ ବିଜେପି ରାଜ୍ୟ ମୁଖ୍ୟ।।ଳୟ ଯାଇଥିଲେ । ଏହି ରୋଡ୍ ଶୋ’ ସର୍ଦ୍ଦାର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ଇନ୍ଦିରା-ବ୍ରିଜ୍ ସର୍କଲ୍‌, ଭାଟ ସର୍କଲ୍ ଦେଇ ଦୀର୍ଘ ୯ କିମି ଅତିକ୍ରମ କରିବା ପରେ କମଳମ୍‌ରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସରପଞ୍ଚ ସମ୍ମିଳନୀରେ ପ୍ରଧାମନ୍ତ୍ରୀ ଭାଗ ନେଇଥିଲେ । ଏହି ସମ୍ମିଳନୀରେ ପ୍ରାୟ ଦେଢ଼ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । କରୋନା ମହାମାରୀ ପରେ ଗୁଜରାଟରେ କୌଣସି ବଡ଼ ସାର୍ବଜନୀନ କାର୍ଯ୍ୟକ୍ରମରେ ସାମିଲ ହେବା ଏହା ପ୍ରଧାମନ୍ତ୍ରୀ ମୋଦୀଙ୍କ ପାଇଁ ପ୍ରଥମ । ଚାରିଟି ରାଜ୍ୟରେ ବିଜେପିର ବଡ଼ ବିଜୟ ପରେ ଏହି ସମ୍ମିଳନୀରେ ଦଳୀୟ କର୍ମୀଙ୍କର ଉତ୍ସାହ ଚରମରେ ଥିବା ଦେଖିବାକୁ ମିଳିଥିଲା ।

ସମ୍ମିଳନୀରେ ପ୍ରଥମେ ସରପଞ୍ଚମାନଙ୍କୁ ସେ ଗୁଜରାଟୀରେ କେମ୍ ଛୋ (କେମିତି ଅଛନ୍ତି?) ସମ୍ବୋଧନ କରିଥିଲେ । ଏହା ପରେ ସେ ଗାଁର ଲୋକମାନଙ୍କୁ ଅଭିନନ୍ଦନ କରିଥିଲେ । କରୋନା କାଳରେ ଗାଁ ଲୋକଙ୍କ ଭାବନାର ପ୍ରଶଂସା କରିଥିଲେ । ଏହି ଅବସରରେ ସେ ମହିଳା ସରପଞ୍ଚମାନଙ୍କୁ କହିଥିଲେ, ପ୍ରଥମେ ଏସ୍‌ପି ଅର୍ଥାତ୍ ‘ସରପଞ୍ଚ ପତି’ ସିଷ୍ଟମ୍ ଶେଷ କରିବାକୁ ହେବ । ମହିଳା ସରପଞ୍ଚଙ୍କ କାମରେ ସେମାନଙ୍କ ପତିମାନଙ୍କ ହସ୍ତକ୍ଷେପକୁ ନେଇ ସେ ଏହା କହିଥିଲେ । ସେ କହିଥିଲେ, ମହିଳାମାନଙ୍କୁ ସୁଯୋଗ ଦେବା ସହ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେବାର ଆବଶ୍ୟକତା ରହିଛି ।

ପ୍ରଧାମନ୍ତ୍ରୀ ମୋଦୀ କହିଥିଲେ, ଏହା ବାପୁଙ୍କ ଭୂମି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଭୂମି । ବାପୁ ସର୍ବଦା ଗ୍ରାମୀଣ ବିକାଶ, ଆତ୍ମନିର୍ଭରଶୀଳ ଗାଁ, ମଜଭୁତ ଓ ସକ୍ଷମ ଗାଁ ସମ୍ପର୍କରେ କହୁଥିଲେ । ବିକାଶ ବାପୁଙ୍କ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସ୍ୱପ୍ନ ଥିଲା । ତେଣୁ ବାପୁଙ୍କ ସ୍ୱପ୍ନ ପୂରଣ ପାଇଁ ଆମେ ପ୍ରତିବଦ୍ଧ ବୋଲି ମୋଦୀ କହିଥିଲେ । ପରେ ସନ୍ଧ୍ୟାରେ ମୋଦୀ ସୋମନାଥ ଟ୍ରଷ୍ଟ ବୈଠକରେ ସାମିଲ ହୋଇଥିଲେ । ରାତି ପ୍ରାୟ ୯ଟା ବେଳେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ମା’ ହୀରାବେନ୍‌ଙ୍କୁ ଭେଟିଥିଲେ । ସେଠାରେ ସେ ମା’ଙ୍କ ଆଶୀର୍ବାଦ ନେଇଥିଲେ । ଶନିବାର ପ୍ରଧାମନ୍ତ୍ରୀ ମୋଦୀ ନବରଙ୍ଗାପୁରାର ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ୍‌ରେ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ କରିବେ ।

Leave A Reply

Your email address will not be published.