ଚେଲ୍ସି ଫୁଟ୍ବଲ୍ କ୍ଲବ୍ ମାଲିକଙ୍କ ସମ୍ପତ୍ତି ଫ୍ରିଜ୍

ବ୍ରସେଲ୍‌ସ : ପୁଟିନ୍‌ଙ୍କ ସହିତ ସମ୍ପର୍କ ମହଙ୍ଗା ପଡ଼ିଛି । ବ୍ରିଟିଶ୍ କଟକଣାର ସମ୍ମୁଖିନ ହୋଇଛନ୍ତି ଚେଲ୍‌ସି ଫୁଟ୍‌ବଲ୍ କ୍ଲବ୍ ମାଲିକ ରୋମାନ୍ ଆବ୍ରାମୋଭିକ୍ । ଆବ୍ରାମୋଭିକ୍ ଓ ଅନ୍ୟ ୬ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ଫ୍ରିଜ୍ କରିଛି ବ୍ରିଟେନ୍ । ଏହି ୭ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅନ୍ତଃରାଷ୍ଟ୍ରୀୟ ଟ୍ରାଭେଲ୍ ଉପରେ ମଧ୍ୟ ନିଷେଧାଦେଶ ଲାଗୁକରିଛି । ଅନ୍ୟମାନଙ୍କ ମଧ୍ୟରେ ରୁଷ୍‌ର ଖ୍ୟାତନାମା ଉଦ୍ୟୋଗପତି ଓଲେଗ୍ ଡେରିପାସ୍କା, ରୋଜ୍‌ନେଟ୍‌ର ପ୍ରମୁଖ ଆଇଗର ସେଚିନ, ନିକୋଲାଇ ଟୋକାରେଭ୍‌, ଦାମିତ୍ରି ଲେଭେଡେଭ୍‌, ଆଣ୍ଡ୍ରି କୋଷ୍ଟିନ୍‌୍ ଓ ଆଲେକ୍ସ ମିଲର୍ ସାମିଲ୍ ଅଛନ୍ତି ବୋଲି ବ୍ରିଟେନ୍ ସରକାର ବିବୃତି ଜାରି କରି ସୂଚନା ଦେଇଛନ୍ତି ।

କ୍ରେମ୍‌ଲିନ୍‌ର ନିକଟତର ହେବା ଯୋଗୁଁ ରୋମାନ୍ ଆବ୍ରାମୋଭିକ୍‌ଙ୍କ ଉପରେ କଟକଣା ଲାଗୁ ହେବାର ଆକଳନ ଗତ ଏକ ସପ୍ତାହ ଧରି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ଗତ ସପ୍ତାହରେ ସେ ଚେଲ୍‌ସି କ୍ଲବ୍‌କୁ ବିକ୍ରି କରିବା ନେଇ ସୂଚନା ମଧ୍ୟ ଦେଇଥିଲେ । ବ୍ରିଟେନ୍ ସରକାର କ୍ଲବ୍‌ର ମୋଟ୍ ସମ୍ପତ୍ତି ୯.୪ ବିଲିୟନ୍ ୟୁରୋ ଆକଳନ କରିଛନ୍ତି । ଅପରପକ୍ଷରେ ସରକାର କ୍ଲବ୍‌ର ପରିଚାଳନା ନେଇ କୌଣସି କଟକଣା ଲାଗୁ କରିନାହାନ୍ତି । ସୂଚନାଯୋଗ୍ୟ ଯେ ଏହି ୭ ପ୍ରଭାବଶାଳୀ ଉଦ୍ୟୋଗପତିଙ୍କ ମୋଟ ସମ୍ପତ୍ତି ୧୫ ବିଲିୟନ୍ ୟୁରୋ ଆକଳନ କରାଯାଇଛି । ଏହି ପ୍ରତିବନ୍ଧକର ପ୍ରମୁଖ ଉଦ୍ଦେଶ୍ୟ ରୁଷ୍‌ର ୟୁକ୍ରେନ୍ ଆକ୍ରମଣ ପରିପ୍ରେକ୍ଷୀରେ ୟୁକ୍ରେନ୍‌ବାସୀଙ୍କ ସହାୟତା ବୋଲି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କହିଛନ୍ତି ।

Leave A Reply

Your email address will not be published.