ବେଲାରୁଷ୍ର ୩ ବ୍ୟାଙ୍କ୍ ସ୍ୱିଫ୍ଟ ସିଷ୍ଟମ୍ରୁ ବାହାର

ରୁଷ୍ ବିରୋଧରେ ଇୟୁର ଅର୍ଥନୈତିକ ଯୁଦ୍ଧ

ବ୍ରସେଲ୍‌ସ : ୟୁକ୍ରେନ୍ ବିରୋଧ ଯୁଦ୍ଧ ଦେଶର ଅର୍ଥବ୍ୟବସ୍ଥାକୁ ଗର୍ତ୍ତକୁ ଠେଲିଦେବ ବୋଲି କହିଛି ୟୁରୋପୀୟ ୟୁନିୟନ୍ (ଇୟୁ) । ଆମେରିକା ଦ୍ୱାରା ଗତକାଲି କଟକଣା ଲାଗୁ କରିବା ପରେ ଆଜି ଆଜି ୟୁରୋପୀୟ ୟୁନିୟନ୍ ମଧ୍ୟ ରୁଷ୍ ବିରୋଧରେ ଅର୍ଥର୍ନୈତିକ ଯୁଦ୍ଧ ଘୋଷଣା କରିଛି । ୨୭ ଦେଶକୁ ନେଇ ଗଠିତ ୟୁରୋପ୍ ୟୁନିୟନ୍ ରୁଷ୍‌ର ୧୬୦ ଜଣ ସାଂସଦ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କଳାତାଲିକାଭୁକ୍ତ କରିଛି ।

ଅପରପକ୍ଷରେ ୟୁକ୍ରେନ୍ ବିରୋଧ ଯୁଦ୍ଧରେ ରୁଷ୍‌କୁ ସପକ୍ଷରେ ରହିଥିବାରୁ ବେଲାରୁଷ୍ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରିଛି ଇୟୁ । ବେଲାରୁଷ୍‌ର ତିନି ବ୍ୟାଙ୍କ୍‌କୁ ସ୍ୱିଫ୍ଟ ସିଷ୍ଟମ୍‌ରୁ ବାହାର କରିଛି ଇୟୁ । ରୁଷ୍ ବିରୋଧରେ ଆମେ ଆର୍ଥିକ କଟକଣାକୁ ଆହୁରି କଠୋର କରିବାକୁ ଯାଉଛୁ ବୋଲି ୟୁରୋପିଆନ୍ କମିଶନ୍ ଉର୍ସୁଲା ଭୋନ୍ ଦେର୍ ଲେୟାନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରୁଷ୍ ସଂସଦର ଉଚ୍ଚସଦନର ୧୪୬ ସାଂସଦ ଓ କ୍ରେମ୍‌ଲିନ୍‌ର ୧୪ ଜଣ ଅତି ପ୍ରଭାବଶାଳୀ ବ୍ୟକ୍ତି ତଥା ସେମାନଙ୍କ ସମ୍ପର୍କୀୟଙ୍କ ବିଦେଶସ୍ଥିତ ସମ୍ପତ୍ତିକୁ ଫ୍ରିଜ୍ କରାଯିବା ସହିତ ସେମାନଙ୍କ ଭିସାକୁ ରଦ୍ଦ କରାଯିବ ବୋଲି ଇୟୁ ବିବୃତି ଜାରି କରି କହିଛି । ଇୟୁ ଅଫିସିଆଲ୍ ଜର୍ଣ୍ଣାଲରେ ପ୍ରକାଶିତ ହେବା ସହିତ ଖୁବ୍‌ଶୀଘ୍ର ପ୍ରତିବନ୍ଧିତ ବ୍ୟକ୍ତିଙ୍କ ନାମ ପ୍ରକାଶ କରିଦିଆଯିବ ବୋଲି ସେ କହିଛନ୍ତି ।

ପ୍ରତିବନ୍ଧିତ ବ୍ୟକ୍ତିଙ୍କ କ୍ରିପ୍ଟୋ କାରବାର ଉପରେ ମଧ୍ୟ କଟକଣା ଲାଗୁ କରାଯିବ । ଏହି କଟକଣା ସାମୁଦ୍ରିକ କ୍ଷେତ୍ରରେ ରପ୍ତାନି ଓ ରେଡିଓ କମ୍ୟୁନିକେସନ୍ ଟେକ୍‌ନୋଲୋଜୀ ଦିଗରେ ମଧ୍ୟ ଲାଗୁହେବ । ବେଲାରୁଷ୍‌କୁ ୟୁକ୍ରେନ୍ ଆକ୍ରମଣ ପାଇଁ ଲଞ୍ଚ୍‌ପ୍ୟାଡ୍ ଭାବେ ରୁଷ୍ ବ୍ୟବହୃତ କରୁଥିବାରୁ ଇୟୁ କଟକଣାର ସାମ୍ନା କରିଛି । ବେଲାରୁଷ୍‌ର ବେଲାଗ୍ରୋପ୍ରୋମ୍ ବ୍ୟାଙ୍କ୍‌, ବ୍ୟାଙ୍କ୍ ଡାବ୍ରାବିଟ୍ ଓ ଡେଭଲପ୍‌ମେଣ୍ଟ୍ ବ୍ୟାଙ୍କ୍ ଅଫ୍ ଦ ରିପବ୍ଲିକ୍ ବେଲାରୁଷ୍‌କୁ ସ୍ୱିଫ୍ଟ ସିଷ୍ଟମ୍‌ରୁ ବାହାର କରିଦିଆଯାଇଛି । ବେଲାରୁଷ୍‌ର କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ଇୟୁରୁ ଫଣ୍ଡ୍ ସଂଗ୍ରହ ପାଇଁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି । ରୁଷ୍ ଯୁଦ୍ଧ ବିରତି ଘୋଷଣା ନକରିବା ପର୍ଯ୍ୟନ୍ତ ଅଧିକରୁ ଅଧିକ କଟକଣା ଲାଗୁ ହେବ ବୋଲି ଇୟୁ ଚେତାବନୀ ଦେଇଛି ।

Leave A Reply

Your email address will not be published.