୩୦୦ ଡଲାର୍ ଛୁଇଁବ ଅଶୋଧିତ ତୈଳଦର!

ମସ୍କୋ : ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକା ଓ ପଶ୍ଚିମଦେଶଗୁଡ଼ିକ ରୁଷ୍ ବିରୋଧରେ କଡ଼ା ଆର୍ଥିକ କଟକଣା ଲାଗୁ କରିଛନ୍ତି । ରୁଷ୍ ବିଶ୍ୱରେ ଦ୍ୱିତୀୟ ତୈଳ ଉତ୍ପାଦକ ଦେଶ ଭାବେ ପରିଚିତ । ରୁଷ୍ ଦୈନିକ ୧୧ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ କରିଥାଏ । ସାଧାରଣତଃ ୟୁରୋପୀୟ ଦେଶଗୁଡ଼ିକ ରୁଷ୍ ତୈଳ ଉପରେ ଅଧିକ ନିର୍ଭରଶୀଳ । ଏହା ସତ୍ତ୍ୱେ ରୁଷ୍‌କୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବା ପାଇଁ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ରୁଷ୍‌ରୁ ତୈଳ ଆମଦାନୀ ବନ୍ଦ କରିବା ନେଇ ବିଚାର କରୁଛନ୍ତି । ଏ

ହି ଖବର ପ୍ରକାଶ ପାଇବା ମାତ୍ରେ ହିଁ ଗତ ସୋମବାର ଅଶୋଧିତ ତୈଳଦର ୧୩୯ ଡଲାର୍ ଅତିକ୍ରମ କରିଥିଲା । ଯଦି ରୁଷ୍ ଜର୍ମାନୀ ଗ୍ୟାସ୍ ପାଇପ୍‌ଲାଇନ୍‌କୁ ବନ୍ଦ କରିଦିଏ; ତେବେ ଅନ୍ତଃରାଷ୍ଟ୍ରୀୟସ୍ତରରେ ଅଶୋଧିତ ତୈଳଦର ୩୦୦ ଡଲାର୍ ପ୍ରତି ବ୍ୟାରେଲ୍ ଛୁଇଁବ ବୋଲି ରୁଷ୍‌ର ଉପପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ୍ ଚେତାବନୀ ଦେଇଛନ୍ତି । ରୁଷ୍ ଦ୍ୱାରା ଉତ୍ପାଦିତ ଦୈନିକ ତୈଳର ଅଧାଭାଗ ରପ୍ତାନୀ କରିଥାଏ । ରପ୍ତାନୀ ତୈଳର ଅର୍ଦ୍ଧାଧିକ ୟୁରୋପୀୟ ଦେଶଗୁଡ଼ିକ କ୍ରୟ କରିଥାନ୍ତି । ରୁଷ୍ ରପ୍ତାନୀ କରୁଥିବା ତୈଳ ଅନ୍ୟ ଦେଶରୁ କ୍ରୟ କରିବା ଯୋଜନା ସମ୍ପନ୍ନ ହେବା ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିବ । ସୂଚନାଯୋଗ୍ୟ ଯେ ରୁଷ୍‌ର ଅର୍ଥନୀତି, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ତଥା ରୁଷୀୟ ମୁଦ୍ରା ସମ୍ପ୍ରତି ଗମ୍ଭୀର ସଙ୍କଟ ଦେଇ ଗତି କରୁଛି ।

Leave A Reply

Your email address will not be published.