ସୁମିରୁ ସବୁ ୬୯୪ ଭାରତୀୟ ଛାତ୍ର ସ୍ଥାନାନ୍ତର

କିଏଭ୍‌: ରୁଷ୍ ସେନା ପକ୍ଷରୁ ବର୍ତ୍ତମାନ ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଅବସ୍ଥିତ ସୁମି ସହର ଉପରେ ପ୍ରବଳ ଆକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସେଠାରେ ଫସିରହିଥିବା ମୋଟ ୬୯୪ ଭାରତୀୟ ଛାତ୍ରଙ୍କୁ ମଙ୍ଗଳବାର ୟୁକ୍ରେନ୍‌ର କେନ୍ଦ୍ରସ୍ଥଳରେ ଅବସ୍ଥିତ ପୋଲତଭା ସହରକୁ ସୁରକ୍ଷିତଭାବେ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରି ସୂଚନା ଦେଇଛନ୍ତି । ସୋମବାର ରାତି ସୁଦ୍ଧା ସୁମିରେ ପ୍ରାୟ ୭୦୦ ଭାରତୀୟ ଛାତ୍ର ଅଟକିଥିବାର ସୂଚନା ମିଳିଥିଲା। ସୋମବାର ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କ ସହ ଟେଲିଫୋନ୍‌ରେ ଆଲୋଚନା କାଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁମି ସହରରେ ଫସିଥିବା ଭାରତୀୟ ଛାତ୍ରଙ୍କ ଅପସାରଣ ପ୍ରସଙ୍ଗ ଉଠାଇଥିଲେ ।

ତେବେ ଭାରତୀୟ ଛାତ୍ରଙ୍କ ପାଇଁ ମାନବୀୟ କରିଡର ପ୍ରସ୍ତୁତ କରାଯିବ ବୋଲି ପୁଟିନ୍ ପ୍ରତିଶ୍ରୁତି ଦେବାପରେ ମଙ୍ଗଳବାର ସ୍ୱତନ୍ତ୍ର ବସ୍ ଯୋଗେ ସବୁ ଛାତ୍ରଙ୍କୁ ପୋଲ୍‌ତଭା ସହରକୁ ସ୍ଥାନାନ୍ତର କରାଯାଇଛି । ଯୁଦ୍ଧ ଆରମ୍ଭ ହେବାପରଠାରୁ ରୁଷ୍ ସେନା ପକ୍ଷରୁ ସୁମି ଓ ଇର୍‌ପିନ୍ ସହରକୁ କ୍ରମାଗତ ଟାର୍ଗେଟ କରାଯାଇ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରାଯାଉଛି । ତେଣୁ ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରମାନେ ଖାଦ୍ୟ, ପାନୀୟର ଘୋର ଅଭାବ ସହ ପ୍ରବଳ ଥଣ୍ଡାର ସମ୍ମୁଖୀନ ହୋଇ ଅଜଣା ଆତଙ୍କରେ କାଳାତିପାତ କରୁଥିଲେ ।

Leave A Reply

Your email address will not be published.