କିଏଭ୍ରେ ଅଛି, କାହାକୁ ଡରେ ନାହିଁ – ଜେଲେନ୍ସ୍କି

କିଏଭ୍‌: ‘ମୁଁ ଭୟଭୀତ ନୁହେଁ, ମୁଁ ଲୁଚିନାହିଁ । ଆମେ ଯୁଦ୍ଧଜିତିବୁ ।’ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନର ତ୍ରୟୋଦଶ ଦିନରେ ଭିଡିଓ ବାର୍ତ୍ତା ଜାରି କରି ଏଭଳି ଦୃଢ଼ୋକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନ୍‌ସ୍କି । ତାଙ୍କୁ ହତ୍ୟା ଲାଗି ୩ଥର ଉଦ୍ୟମ ହୋଇ ସାରିଥିବା ଖବର ମଧ୍ୟରେ ସେ ରହୁଥିବା କିଭ୍ ବ୍ୟାଙ୍କୋଭା ଷ୍ଟ୍ରିଟ୍‌ର ଠିକଣା ମଧ୍ୟ ଜଣାଇଛନ୍ତି । ରୁଷ୍ ସହ ଜାରି ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ପଳାୟନ କରିଥିବା ଗୁଜବକୁ ଜେଲେନ୍‌ସ୍କି ୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଖଣ୍ଡନ କରିଛନ୍ତି । କିଏଭ୍‌ସ୍ଥିତ ରାଷ୍ଟ୍ରପତି ଭବନରୁ ଜାରି ଏକ ଭିଡିଓ ବାର୍ତ୍ତାରେ ଜେଲେନ୍‌ସ୍କି ଶତ୍ରୁ ସେନାକୁ ଖୋଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେତେବେଳ ପର୍ଯ୍ୟନ୍ତ ବିଜୟ ନହୋଇଛି, ସେ ପର୍ଯ୍ୟନ୍ତ ଲଢ଼େଇ ଜରିରଖିବେ । ରାଷ୍ଟ୍ରପତି ଭବନରେ ଚଲାବୁଲା କରୁଥିବା ଅବସ୍ଥାରେ ସେ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି । ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ମୁଁ କାହାକୁ ଡରେନାହିଁ, ଏବେ ବି କିଏଭ୍‌ରେ ଅଛି । ମୁଁ କୌଣସି ବଙ୍କରରେ ଲୁଚିନାହିଁ ଏବଂ ଦେଶଭକ୍ତିରେ ଭରପୂର ଏହି ଯୁଦ୍ଧରେ ବିଜୟ ପର୍ଯ୍ୟନ୍ତ କିଏଭ୍‌ରେ ରହିବି ।

ଅନ୍ୟପକ୍ଷରେ ଜେଲେନ୍‌ସ୍କି ପୁଣିଥରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ବର୍ଷିଛନ୍ତି । ରୁଷ୍ ରକେଟ୍ ଓ ବୋମା ଆକ୍ରମଣରେ ୟୁକ୍ରେନ୍‌ରେ ଘଟୁଥିବା ଧନଜୀବନ ନଷ୍ଟ ପାଇଁ ସେ ପାଶ୍ଚାତ୍ୟ ଦେଶଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଗତ ୧୩ ଦିନ ମଧ୍ୟରେ ଏହି ଦେଶଗୁଡ଼ିକ ୟୁକ୍ରେନ୍ ଆକାଶ ସୀମାକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ସହ ଆବଶ୍ୟକ ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି । ଯଦି ଏହି ଦେଶମାନେ ଆମ ନାଗରିକ ଏବଂ ସହରଗୁଡ଼ିକୁ ରୁଷ୍‌ର ବୋମା ଓ ମିସାଇଲ୍ ଆକ୍ରମଣରୁ ବଞ୍ଚାଇବାରେ ଅସମର୍ଥ ହୁଏନ୍ତି, ତେବେ ସେମାନେ ସେଥିôପାଇଁ ଦାୟୀ ରହିବେ । ଏପରିକି ଅନ୍ତର୍ଜୀତୀୟ ରେଡ୍‌କ୍ରସ୍ କମିଟି ଆମ ମାନବୀୟ ମିଶନ୍ ଯାନରେ ତା’ର ପତାକା ବ୍ୟବହାର କରିବାକୁ ଅନୁମତି ଦେଉନାହିଁ । ଏପରି ସ୍ଥିତିରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦେଶ ଛାଡ଼ିବାକୁ ବାଧ୍ୟହେବେ ବୋଲି ରୁଷ୍ ଆକ୍ରମଣର ବିପଦ ସମୟରେ ୟୁକ୍ରେନ୍‌ବାସୀଙ୍କ ପାଇଁ ପ୍ରେରଣା ପାଲଟିଥିବା ଜେଲେନ୍‌ସ୍କି କହିଛନ୍ତି ।

Leave A Reply

Your email address will not be published.