ୟୁପି ଓ ଉତ୍ତରାଖଣ୍ଡରେ ବିଜେପି, ପଞ୍ଜାବରେ ଆପ୍

ଏକ୍‌ଜିଟ୍ ପୋଲ୍‌ -୨୦୨୨

ନୂଆଦିଲ୍ଲୀ : ସୋମବାର ଉତ୍ତର ପ୍ରଦେଶ (ୟୁପି)ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ସହ ଫେବୃଆରୀ ୧୦ରୁ ପାଞ୍ଚଟି ରାଜ୍ୟରେ ଆରମ୍ଭ ହୋଇଥିବା ବିଧାନସଭା ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୧୦ରେ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ । ଏହି ପରିପ୍ରେକ୍ଷୀରେ ସୋମବାର ବିଭିନ୍ନ ଚ୍ୟାନେଲ ପକ୍ଷରୁ ଏକ୍‌ଜିଟ୍ ପୋଲ୍ (ବୁଥ୍ ଫେରନ୍ତା ମତାମତ) ପ୍ରକାଶ ପାଇଛି । ତଦନୁଯାୟୀ ଦୁଇଟି ରାଜ୍ୟ ଯଥା ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଇଥିବାବେଳେ ଗୋଆରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି । ଅପରପକ୍ଷରେ ପଞ୍ଜାବରେ ବିଜେପି ଏକପ୍ରକାର ମୂଳପୋଛ ହୋଇପଡିଥିବାବେଳେ ସେଠାରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଗୋଆରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଚାଲିଥିବାବେଳେ ମଣିପୁରରେ ବିଜେପି ତୁଳନାରେ କଂଗ୍ରେସ ଆଗୁଆ ରହିଥିବା ଜଣାପଡିଛି । ଉତ୍ତର ପ୍ରଦେଶ ବିଧାନସଭାର ମୋଟ ୪୦୩ ଆସନ ମଧ୍ୟରୁ କ୍ଷମତାସୀନ ବିଜେପି ୨୪୦ରୁ ୨୬୫ ପର୍ଯ୍ୟନ୍ତ ଆସନ ଅକ୍ତିଆର କରିବ ବୋଲି ଏକ୍‌ଜିଟ୍ ପୋଲ୍ ରିପୋର୍ଟ ଦର୍ଶାଇଛି । ରାଜ୍ୟରେ ସମାଜବାଦୀ ପାର୍ଟି ଦ୍ୱିତୀୟ ବୃହତ୍ତମ ଦଳଭାବେ ୧୩୦ରୁ ୧୫୩ ଆସନ ଅକ୍ତିଆର କରିବ ବୋଲି ଆଶା କରାଯାଉଛି । ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ କଂଗ୍ରେସ ସତ୍ତା ହରାଇବା ସ୍ଥିତିରେ ପହଞ୍ଚିଥିବା ଜଣାପଡିଛି । ଏଠାରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଅତିକମରେ ୨୦୨ଟି ଆସନ ହାତେଇବାକୁ ପଡିବ ।

ସେହିପରି ଉତ୍ତରାଖଣ୍ଡର ମୋଟ ୭୦ ମଧ୍ୟରୁ ବିଜେପିକୁ ୩୭ରୁ ୪୩ ମଧ୍ୟରେ ଆସନ ମିଳିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଏଠାରେ କଂଗ୍ରେସ ସହ ବିଜେପିର ଟକ୍କର ଦେଖିବାକୁ ମିଳିବ । କଂଗ୍ରେସକୁ ୨୪ରୁ ୩୧ଟି ପର୍ଯ୍ୟନ୍ତ ଆସନ ମିଳିବାର ସମ୍ଭାବନା ରହିଛି । ଆପ୍ ଏଠାରେ ଦୟନୀୟ ପ୍ରଦର୍ଶନ କରିବ ବୋଲି କୁହାଯାଇଛି । ପଞ୍ଜାବର ମୋଟ ୧୧୭ ଆସନ ମଧ୍ୟରୁ ଆପ୍‌କୁ ୬୬ରୁ ୧୦୦ ପର୍ଯ୍ୟନ୍ତ ଆସନ ମିଳିବ ବୋଲି ଅନୁମାନ କରାଯାଉଛି । କ୍ଷମତାସୀନ କଂଗ୍ରେସ ୧୦ରୁ ୨୭ଟି ମଧ୍ୟରେ ଆସନ ଦଖଲ କରି ଦ୍ୱିତୀୟ ସ୍ଥାନରେ ରହିବାର ସମ୍ଭାବନା ସୃଷ୍ଟି କରିଛି । ଏଠାରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିବ ବୋଲି କୁହାଯାଇଛି । ଗୋଆର ମୋଟ ୪୦ଟି ଆସନ ମଧ୍ୟରୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୨୧ଟି ଆସନର ଆବଶ୍ୟକତା ରହିଛି । ଏଠାରେ କେତେକ ଚ୍ୟାନେଲ ବିଜେପିକୁ ଏବଂ ଅନ୍ୟ କେତେକ ଚ୍ୟାନେଲ କଂଗ୍ରେସକୁ ଆଗୁଆ ଭାବେ ଦର୍ଶାଇଛି । ଇଣ୍ଡିଆ ଟୁଡେ କଂଗ୍ରେସକୁ ୧୭ ଓ ବିଜେପିକୁ ୧୬ ଆସନ ମିଳିବ ବୋଲି ଆକଳନ କରିଥିବାବେଳେ ଟାଇମ୍‌ସ ନାଓ କଂଗ୍ରେସ ସପକ୍ଷରେ ୧୬ ଓ ବିଜେପି ସପକ୍ଷରେ ୧୪ଟି ଆସନ ଦେଇଛି । ପି-ମାର୍କ ପକ୍ଷରୁ ବିଜେପି ଓ କଂଗ୍ରେସ ୧୫ଟି ଲେଖାଏଁ ଆସନରେ ବିଜୟୀ ହେବେ ବୋଲି କୁହାଯାଇଛି । ଏଠାରେ ପତିଆରା ଦେଖାଇବାକୁ ଅଣ୍ଟା ଭିଡିଥିବା ମମତା ବାନାର୍ଜୀଙ୍କର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏକପ୍ରକାର ମୂଳପୋଛ ଅବସ୍ଥାରେ ପହଞ୍ଚିଥିବା ଜଣାପଡିଛି । ମଣିପୁରରେ କ୍ଷମତାସୀନ ବିଜେପିକୁ ପଛରେ ପକାଇ କଂଗ୍ରେସ କ୍ଷମତା ଅକ୍ତିଆର କରିବା ଆଶା ଉଜ୍ଜ୍ୱଳ ହୋଇଉଠିଛି ।

୪ ରାଜ୍ୟରେ ସରକାର ଗଢିବୁ: ବିଜେପି

ସୋମବାର ଉତ୍ତର ପ୍ରଦେଶରେ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ସହ ୫ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନର ପରିସମାପ୍ତି ଘଟିଛି । ଏକ୍‌ଜିଟ୍ ପୋଲ୍ ମତାମତ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଥିବାବେଳେ ବିଜେପି ଶିବିର କିନ୍ତୁ ସଫଳତାର ଡିଣ୍ଡିମ ପିଟିବାରେ ହେଳା କରିନାହିଁ । ବିଜେପିର ଜାତୀୟ ମୁଖପାତ୍ର ଗୋପାଳକୃଷ୍ଣ ଅଗ୍ରୱାଲ କହିଛନ୍ତି ଯେ ୫ ମଧ୍ୟରୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ତାଙ୍କ ଦଳ ସରକାର ଗଠନ କରିବା ନିଶ୍ଚିତ । ଅପରପକ୍ଷରେ ପଞ୍ଜାବରେ ବିଜେପି କ୍ଷମତାକୁ ନ ଆସିଲେ ସୁଦ୍ଧା ୨୦୧୭ ତୁଳନାରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଗ୍ରୱାଲଙ୍କ ଏହି ଉକ୍ତି ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଏକମତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.