ଅପରେଶନ ଗଙ୍ଗା: ଆଜି ଆସିବେ ୧୨୦୦ ଭାରତୀୟ

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତର ଶହ ଶହ ଲୋକ ଯୁଦ୍ଧସ୍ଥଳୀରେ ଫସିଛନ୍ତି । ଭାରତ ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗା ଅଭିଯାନ ଚଳାଇଛନ୍ତି । ଏହି ଅପରେଶନ ବଳରେ ଭାରତର ୧୫ ହଜାର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଅଣାଯାଇ ସାରିଛି । ଏହି ଅପରେଶନର ସଫଳତା ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀ ଏବେ ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ରରେ ଅଛନ୍ତି । ଏଥିରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସାମିଲ ଅଛନ୍ତି । ୟୁକ୍ରେନ୍‌ରୁ ଉଦ୍ଧାର କରାଯାଇଥିବା ୧୬୦ ଜଣ ଭାରତୀୟ ଛାତ୍ର ଆଜି ଭୋର ସକାଳୁ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି । ହଙ୍ଗେରିର ରାଜଧାନୀ ବୁଡାପେଷ୍ଟରୁ ଏହି ସ୍ୱତନ୍ତ୍ର ବିମାନ ଆସିଛି । ବୁଡୋପେଷ୍ଟରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ହଙ୍ଗେରି ଆଣିବା ପାଇଁ ୪ଟି ବସ ସୀମା ଆରପଟରୁ ପୋଲ୍ଟାଭା (ୟୁକ୍ରେନ୍‌) ପଠାଯାଇଛି ।

ଆଜି ୭ଟି ବିମାନରେ ୧୨୦୦ ଭାରତୀୟ ନାଗରିକଙ୍କୁ ପଠାଯିବ ।  ସିନ୍ଧିଆ ଟୁଇଟ୍ କରି କହିଛନ୍ତି ଯେ, ରୋମାନିଆରୁ ୩୧ଟି ବିମାନରେ ୬୬୮୦, ପୋଲାଣ୍ଡରୁ ୧୩ଟି ବିମାନରେ ୨୮୨୨, ହଙ୍ଗେରିରୁ ୨୬ଟି ବିମାନରେ ୫୩୦୦ ଓ ସ୍ଲୋଭାକିଆରୁ ୬ଟି ବିମାନରେ ୧୧୧୮ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁନେରେ ଯୁଦ୍ଧ ପ୍ରଭାବିତ ୟୁକ୍ରାଇନରେ ଫସିଥିବା ଲୋକଙ୍କୁ ସେଠାରୁ ଉଦ୍ଧାର କରିବା ଲାଗି ଚାଲିଥିବା ‘ଅପରେଶନ ଗଙ୍ଗା’ ସଫଳତାକୁ ନେଇ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.