ଶ୍ରୀନଗରରେ ଗ୍ରେନେଡ୍ ହମଲା, ୨୦ ଆହତ, ଜଣେ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟସ୍ତବହୁଳ ଅଞ୍ଚଳରେ ରବିବାର ସୁରକ୍ଷାବଳଙ୍କୁ ଟାର୍ଗେଟ୍ କରାଯାଇ ଗ୍ରେନେଡ୍ ଆକ୍ରମଣ ହୋଇଛି। ଏଥିରେ ପୋଲିସ କର୍ମୀ ସମେତ ୨୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅଚାନକ ହୋଇଥିବା ବିସ୍ଫୋରଣରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି।

ସୂଚନା ମିଳିବା ମାତ୍ରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଆହତଙ୍କୁ ସ୍ଥାନୀୟ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ଏହି ଆକ୍ରମଣ ଅମିରାକଦଲ ଅଞ୍ଚଳରେ ଘଟିଛି। ଏହି ସମୟରେ ସେଠାରେ ସିଆରପିଏଫ ଯବାନ ମୁତୟନ ଥିଲେ। ଆଇଜି ବିଜୟ କୁମାର ରବିବାର ଏହାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, କିଛି ସାଧାରଣ ନାଗରିକ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ଅପରାହ୍ନ ୪ଟା ୨୦ରେ ଏହି ଘଟଣା ଘଟିଛି। ଯବାନଙ୍କ ଉପରକୁ ଲକ୍ଷ୍ୟ କରାଯାଇ ଗ୍ରେନେଡ୍ ଫିଙ୍ଗା ଯାଇଥିଲେ ହେଁ ତାହା ଲକ୍ଷ୍ୟଚ୍ୟୁତ୍ ହୋଇ ଅନ୍ୟତ୍ର ପଡିଥିଲା।

Leave A Reply

Your email address will not be published.