ରୁଷର ପରମାଣୁ ଆକ୍ରମଣ ଚେତାବନୀ

ୟୁରୋପରେ ଆୟୋଡିନ୍ ଚାହିଦା ବୃଦ୍ଧି

ଲଣ୍ଡନ : ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ପରମାଣୁ ସେନାଙ୍କୁ ସତର୍କ ରହିବା ନିର୍ଦ୍ଦେଶ ପରେ ୟୁରୋପୀୟ ଦେଶଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମଧ୍ୟ-ୟୁରୋପୀୟ ଦେଶରେ ଲୋକଙ୍କ ମଧ୍ୟରେ ବିକଳ ଅବସ୍ଥା ଦେଖିବାକୁ ମିଳିଛି । ପୁଟିନ୍ ପରମାଣୁ ସେନାକୁ ସତର୍କ ରହିବାକୁ କହିବା ପରେ ମଧ୍ୟୟୁରୋପ ଦେଶରେ ଆୟୋଡିନ୍‌ର ଚାହିଦାରେ ଅହେତୁକ ବୃଦ୍ଧି ଘଟିଛି ।

ଲୋକଙ୍କ କହିବା କଥା ହେଲା, ଯଦି ପରମାଣୁ ଆକ୍ରମଣ ହୁଏ ତେବେ ଆୟୋଡିନ୍ ସେମାନଙ୍କୁ ତଜ୍ଜନିତ ବିକିରଣରୁ ବଞ୍ଚାଇବ । କେବଳ ଏତିକି ନୁହେଁ ପୋଲାଣ୍ଡରୁ ଆରମ୍ଭ କରି ବୁଲ୍‌ଗେରିଆ ପର୍ଯ୍ୟନ୍ତ ଦେଶର ନାଗରିକମାନେ ପାସ୍‌ପୋର୍ଟ ଅଫିସ୍ ଆଗରେ ଲମ୍ବା ଲାଇନ୍ ମଧ୍ୟ ଲଗାଇଛନ୍ତି । ଲୋକମାନେ ନିଜ ଗାଡ଼ିରେ ଇନ୍ଧନ ପୂର୍ଣ୍ଣ କରି ରଖିବା ସହ ଅତିରିକ୍ତ ଇନ୍ଧନ ମହଜୁଦ କରିବାରେ ଲାଗିଛନ୍ତି । ଫଳରେ କୌଣସି ମୁହୂର୍ତ୍ତରେ ଦେଶ ଛାଡ଼ିବା ଭଳି ପରିସ୍ଥିତିରେ ସୃଷ୍ଟି ହେଲେ ତୁରନ୍ତ ପଳାୟନ କରିପାରିବେ । ବୁଲ୍‌ଗେରିଆର ଫାର୍ମାସୀ ସଂଘ ପ୍ରମୁଖ ନିକୋଲାୟ କୋତ୍ସୋଭ୍ କହିଛନ୍ତି, ଗତ ଛଅଦିନ ମଧ୍ୟରେ ଆମେ ଯେତିକି ଆଓଡିନ୍ ବିକିଛୁ ସାରା ବର୍ଷରେ ସେତିକି ବ୍ୟବସାୟ କରିନଥିଲୁ । କେତେକ ଫାର୍ମାସୀରେ ତ ଷ୍ଟକ୍ ମଧ୍ୟ ଶେଷ ହୋଇଯାଇଛି ।

Leave A Reply

Your email address will not be published.