ରୁଷିଆ ପୁଞ୍ଜିବଜାରରେ ୪୪% ହ୍ରାସ

ମସ୍କୋ : ରୁଷ୍ ଦ୍ୱାରା ୟୁକ୍ରେନ୍ ଉପରେ ସେନା ଆକ୍ରମଣ ଯୋଗୁଁ ଆଜି ବିଳମ୍ବିତ ସମୟରେ କାରବାର ଆରମ୍ଭ କରିଥିବା ରୁଷ୍ ପୁଞ୍ଜିବଜାର (ମୋଏକ୍ସ-ମସ୍କୋ ଏକ୍ସଚେଞ୍ଜ୍‌)ରେ ବୃହତ୍ ହ୍ରାସ ଘଟିଛି । ସକାଳର ଟ୍ରେଡିଂ ସେସନ୍‌ରେ ରୁଷ୍ ପୁଞ୍ଜିବଜାରରେ ୪୦% ହ୍ରାସ ଘଟିଥିଲା । ୟୁରୋପୀୟ ଦେଶ ତଥା ଆମେରିକା ଦ୍ୱାରା ଆର୍ଥିକ କଟକଣା ଲାଗୁ କରିବା ପରେ ରୁଷ୍ ପୁଞ୍ଜିବଜାର ଭୁଶୁଡ଼ିବା ଆରମ୍ଭ ହୋଇଥିଲା । ଅପରପକ୍ଷରେ ରୁଷ୍‌ର କେନ୍ଦ୍ରୀୟ ବ୍ୟାଙ୍କ୍‌ର ଜରୁରିକାଳୀନ ବୈଠକ ଆହ୍ୱାନ କରାଯାଇଥିଲା । ଏହି ବୈଠକରେ ବିଦେଶୀ ମୁଦ୍ରାଭଣ୍ଡାର ଉଫରେ ନିୟନ୍ତ୍ରଣ ରଖିବା ସହିତ ଦେଶର ବ୍ୟାଙ୍କ୍‌ଗୁଡ଼ିକୁ କେନ୍ଦ୍ରୀୟ ବ୍ୟାଙ୍କ୍ ଅତିରିକ୍ତ ପୁଞ୍ଜି ଯୋଗାଇଦେବା ନେଇ ଘୋଷଣା କରିଥିଲା । ବଜାରରେ ତରଳତା ଅର୍ଥାତ୍ ନଗଦ ଅର୍ଥ ଉପଲବ୍‌ଧ ରହିବା ନେଇ ସମସ୍ତ ପ୍ରକାରର ପଦକ୍ଷେପ ନେବ ବୋଲି ରୁଷ୍ କେନ୍ଦ୍ରୀୟ ବ୍ୟାଙ୍କ୍ ସୂଚନା ଦେଇଛି । ଯୁଦ୍ଧ ଜନିତ ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ପ୍ରସ୍ତୁତ୍ ରହିଛି ବୋଲି ବ୍ୟାଙ୍କ୍ ତରଫରୁ ସୂଚନା ଦିଆଯାଇଛି ।

ଆଜି ରୁଷ୍ ପୁଞ୍ଜିବଜାର କାରବାର ସମୟରେ ବାରମ୍ବାର ବାଧାପ୍ରାପ୍ତ ହୋଇ କାରବାର ଅଧିବେଶନ ବନ୍ଦ ରହିଥିଲା । ଆଜିର ଟ୍ରେଡିଂ ସେସନ୍‌ରେ ରୁଷ୍‌ର ସମସ୍ତ ବ୍ୟାଙ୍କ୍‌, କମଡିଟି ଫାର୍ମ, ମେଟାଲ୍ ସେକ୍ଟର ଓ ଆଇଟି କମ୍ପାନୀର ଶେୟାର୍ସରେ ଭୟଙ୍କର ହ୍ରାସ ଘଟିଛି । ରୁଷ୍‌ର ମୁଦ୍ରା ରୁବେଲ୍ ମଧ୍ୟ ଡଲାର୍ ଓ ୟୁରୋ ତୁଳନାରେ ହ୍ରାସ ଘଟିଛି ବୋଲି ରୁଷ୍ ଏକ୍ସଚେଞ୍ଜ୍ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି । ଡଳାର୍ ତୁଳାନରେ ରୁବେଲ୍ ଆଜି ପାଖାପାଖି ୧୦% ହ୍ରାସ ଘଟିଛି । ଅପରପକ୍ଷରେ ରୁଷ୍ ନିକଟରେ ୬୩୦ ବିଲିୟନ୍ ଡଲାର୍‌ରୁ ଅଧିକ ବିଦେଶୀ ମୁଦ୍ରା ରହିଛି ଯାହା ଆର୍ଥିକ କ୍ଷତିକୁ ଭରଣା କରିବା ପାଇଁ ଯଥେଷ୍ଟ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ସରକାରଙ୍କ ରାଜକୋଷରେ ବଳକା ରହିଛି । ସରକାର ଘରୋଇ ବଜାର କିମ୍ବା ଅନ୍ତଃରାଷ୍ଟ୍ରୀୟ ବଜାରରୁ ଋଣ କରିବାର କୌଣସି ଆବଶ୍ୟକ ନାହିଁ ।

Leave A Reply

Your email address will not be published.